ହରାରେ:ଜିମ୍ବାୱେର ଓ୍ବିକେଟକିପର୍ ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡନ୍ ଟେଲର ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ହରାରେଠାରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟ ମ୍ୟାଚ୍ରେ ପଡିଆକୁ ଓହ୍ଲାଇବା ସହ ସେ ଭାରତର କ୍ରିକେଟ୍ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ଥିବା ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି । ଏହି ମ୍ୟାଚ୍ ସହ ଟେଲର ବିଶ୍ୱ କ୍ରିକେଟରେ ଅଧିକ ଦିନ ଧରି ଖେଳିଥିବା ଖେଳାଳି ସାଜିଛନ୍ତି । ଟେଲରଙ୍କ ଏକଦିବସୀୟ କ୍ରିକେଟ୍ କ୍ୟାରିୟର ଏବେ ୨୨ ବର୍ଷ ୪ ମାସରେ ପହଞ୍ଚିଛି । ଏହାସହ ସେ ସଚିନ୍ ତେନ୍ଦୁଲକରଙ୍କ ୨୨ ବର୍ଷ ୩ ମାସର କ୍ୟାରିୟର ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । କ୍ୟାରିୟର ଅବଧିରେ ଟେଲର୍ ଆଗକୁ ବଢ଼ିଥିଲେ ହେଁ ମୋଟ ମ୍ୟାଚ୍ ଓ ରନ୍ ମାମଲାରେ ସଚିନ୍ ଆଜି ବି ଶୀର୍ଷରେ ରହିଛନ୍ତି । ବ୍ରେଣ୍ଡନ୍ ଟେଲର୍ ୨୦୭ ମ୍ୟାଚ୍ରେ ୧୧ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସହ ୬,୭୦୪ ରନ କରିଥିବା ବେଳେ ସଚିନ୍ ତେନ୍ଦୁଲକର ୪୬୩ ମ୍ୟାଚ୍ରେ ୧୮,୪୨୬ ରନ କରିଛନ୍ତି । ୨୦୧୨ରେ ସନ୍ନ୍ୟାସ ନେଇଥିବା ସଚିନ୍ ଆଜି ବି ଏକଦିବସୀୟ ମ୍ୟାଚ୍ରେ ସବୁଠାରୁ ଅଧିକ ମ୍ୟାଚ୍ ଓ ରନ୍ ସଂଗ୍ରହକାରୀ ଖେଳାଳି ଅଛନ୍ତି ।
୪୦ ବର୍ଷୀୟ ଟେଲର୍ ୨୦୨୧ରେ ସନ୍ନ୍ୟାସ ନେଇଥିଲେ । ତେବେ ଆଣ୍ଟି-କରପ୍ସନ୍ ଏବଂ ଆଣ୍ଟି-ଡୋପିଂ କୋଡ୍ ଭଙ୍ଗ କରିବା ଯୋଗୁଁ ୨୦୨୨ରେ ତାଙ୍କ ଉପରେ ତିନି ବର୍ଷର ବ୍ୟାନ୍ ଲାଗିଥିଲା । ବ୍ୟାନ୍ ଅବଧି ଶେଷ ହେବା ପରେ ୨୦୨୫ରେ ସେ ପୁଣି କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୨୦୦୪ରେ କ୍ୟାରିୟର ଆରମ୍ଭ କରିଥିବା ଟେଲର୍ ଜିମ୍ବାୱେ ପାଇଁ ସବୁଠାରୁ ଅଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ସାଜିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ରେ ସଚିନ୍ଙ୍କ ମୋଟ ୩୪,୩୫୭ ରନ୍ ରହିଛି, ଯାହା ନିକଟରେ ବିରାଟ କୋହଲି ପହଞ୍ଚୁଛନ୍ତି । ତେବେ କୋହଲି ସଚିନ୍ଙ୍କଠାରୁ ପ୍ରାୟ ୬ ହଜାର ରନ୍ ଓ ୨୦ଟି ଶତକ ପଛରେ ଅଛନ୍ତି । ସଚିନ୍ଙ୍କ ୧୦୦ଟି ଶତକ, ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଓ ସବୁଠାରୁ ଅଧିକ ଚୌକା ମାରିବାର ରେକର୍ଡ ଭାଙ୍ଗିବା ଏବେ ବି ଅସମ୍ଭବ ମନେହୁଏ ।

