Latest Odisha News

BREAKING NEWS

ସକାଳ ଜଳଖିଆ ପାଇଁ ଝଟପଟ୍ ପ୍ରସ୍ତୁତ କରନ୍ତୁ ‘ଚିଜ୍ ଗାର୍ଲିକ୍ ଅନିୟନ୍ ସ୍ୟାଣ୍ଡୱିଚ୍’: ପିଲାଠୁ ବୁଢ଼ା ସମସ୍ତଙ୍କ ମନ ଜିଣିବ ସ୍ୱାଦ

ସକାଳର ବ୍ୟସ୍ତବହୁଳ ସମୟରେ ଅଧିକାଂଶ ଘରେ ଜଳଖିଆ ପ୍ରସ୍ତୁତ କରିବା ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ । ତେଣୁ ଝଟପଟ୍ ପ୍ରସ୍ତୁତ ହୋଇଯାଉଥିବାରୁ ଅନେକ ଲୋକ ସ୍ୟାଣ୍ଡୱିଚ୍ ବନାଇବାକୁ ଏକ ସ୍ମାର୍ଟ ତଥା ସହଜ ବିକଳ୍ପ ଭାବେ ବାଛିଥାନ୍ତି। ସାଧାରଣତଃ ଆମ ଘରଗୁଡ଼ିକରେ ଭେଜ୍ ସ୍ୟାଣ୍ଡୱିଚ୍, ଆଳୁ ଟୋଷ୍ଟ କିମ୍ବା ସାଧା ଚିଜ୍ ସ୍ୟାଣ୍ଡୱିଚ୍ ତିଆରି କରାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ, ଯାହା ମାତ୍ର କିଛି ମିନିଟ୍ ମଧ୍ୟରେ ପ୍ରସ୍ତୁତ ହୋଇଯିବ ଏବଂ ଏହାର ସ୍ୱାଦ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିବ। ଆସନ୍ତୁ ଜାଣିବା ଅତି ସ୍ୱାଦିଷ୍ଟ ‘ଚିଜ୍ ଗାର୍ଲିକ୍ ଅନିୟନ୍ ସ୍ୟାଣ୍ଡୱିଚ୍’ ପ୍ରସ୍ତୁତ କରିବାର ସହଜ ଉପାୟ ।

ଆବଶ୍ୟକୀୟ ସାମଗ୍ରୀ:

  • ବ୍ରେଡ୍ ସ୍ଲାଇସ୍
  • ୧ କପ୍ କୋରା ହୋଇଥିବା ଚିଜ୍ କିମ୍ବା ଚିଜ୍ ସ୍ଲାଇସ୍
  • ୩ ବଡ଼ ଚାମଚ ବଟର୍ (ଲହୁଣୀ)
  • ୨ ଚାମଚ ଛୋଟ ଛୋଟ କଟା ହୋଇଥିବା ରସୁଣ
  • ଅଧା ଚାମଚ ଗୋଲମରିଚ ଗୁଣ୍ଡ
  • ୧ ଚାମଚ ଚିଲି ଫ୍ଲେକ୍ସ
  • ଗୋଲ୍ ଆକାରରେ କଟା ହୋଇଥିବା ୧ଟି ପିଆଜ
  • ସ୍ୱାଦ ଅନୁସାରେ ଲୁଣ
  • ବାରିକ୍ କଟା ଧନିଆ ପତ୍ର (ଇଚ୍ଛାଧୀନ ଭାବେ ସ୍ପ୍ରିଙ୍ଗ ଅନିୟନ୍ ନେଇପାରିବେ)

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ରସୁଣକୁ ଛଡ଼ାଇ ଛୋଟ ଛୋଟ କରି କାଟି ନିଅନ୍ତୁ କିମ୍ବା କୋରି ନିଅନ୍ତୁ । ପିଆଜକୁ ଗୋଲ୍ ଏବଂ ପତଳା ସ୍ଲାଇସରେ କାଟି ରଖନ୍ତୁ। ଧନିଆ ପତ୍ର ଏବଂ ସ୍ପ୍ରିଙ୍ଗ୍ ଅନିୟନକୁ ମଧ୍ୟ ବାରିକ୍ କାଟି ଦିଅନ୍ତୁ ।
  • ଏବେ ଏକ ପାତ୍ରରେ ବଟର୍ ନିଅନ୍ତୁ। ସେଥିରେ କଟା ରସୁଣ, ଗୋଲମରିଚ ଗୁଣ୍ଡ, ଚିଲି ଫ୍ଲେକ୍ସ, ଲୁଣ ଏବଂ ଧନିଆ ପତ୍ର ପକାଇ ସବୁକୁ ଭଲଭାବେ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏହି ଗାର୍ଲିକ୍ ବଟର୍ ମିଶ୍ରଣକୁ ବ୍ରେଡ୍ ସ୍ଲାଇସର ଗୋଟିଏ ପାର୍ଶ୍ୱରେ ଭଲଭାବେ ଲଗାନ୍ତୁ ।
  • ଏହାପରେ ବ୍ରେଡ୍ ଉପରେ କଟା ପିଆଜ ଏବଂ ସ୍ପ୍ରିଙ୍ଗ୍ ଅନିୟନ୍ ପକାନ୍ତୁ। ତା’ ଉପରେ କୋରା ଚିଜ୍ ବା ଚିଜ୍ ସ୍ଲାଇସ୍ ରଖି ଅନ୍ୟ ଏକ ବ୍ରେଡ୍ ସାହାଯ୍ୟରେ ତାହାକୁ ଘୋଡ଼ାଇ ଦିଅନ୍ତୁ ।
  • ଏବେ ତାୱା କିମ୍ବା ସ୍ୟାଣ୍ଡୱିଚ୍ ମେକରକୁ ଗରମ କରନ୍ତୁ। ସ୍ୟାଣ୍ଡୱିଚର ଉପର ଏବଂ ତଳ ପାର୍ଶ୍ୱରେ ଅଳ୍ପ ଗାର୍ଲିକ୍ ବଟର୍ ଲଗାଇ ଧୀମା ଆଞ୍ଚରେ କ୍ରିସ୍ପି ହେବା ପର୍ଯ୍ୟନ୍ତ ସେକନ୍ତୁ। ସ୍ୟାଣ୍ଡୱିଚ୍ ଉଭୟ ପାର୍ଶ୍ୱରୁ ଭଲଭାବେ ସେକି ହୋଇଯିବା ପରେ ଏବଂ ଚିଜ୍ ତରଳିବା ଆରମ୍ଭ କଲେ, ତାକୁ ବାହାର କରି ଦୁଇ ଖଣ୍ଡ କରି କାଟି ଦିଅନ୍ତୁ ।

ପ୍ରସ୍ତୁତ ହୋଇଗଲା ଆପଣଙ୍କର ଗରମାଗରମ ସ୍ୟାଣ୍ଡୱିଚ୍ । ଆପଣ ଚାହିଁଲେ ଏହା ଉପରେ ସିଜନିଂ ପକାଇ ମଧ୍ୟ ଖାଇପାରିବେ । ଯଦି ଆପଣ ପିଆଜ ଖାଉନାହାନ୍ତି, ତେବେ ବିନା ପିଆଜରେ ମଧ୍ୟ ଏହାକୁ ତିଆରି କରାଯାଇପାରିବ । ବ୍ରେଡ୍ ଭିତରେ ତରଳୁଥିବା ଚିଜ୍ ଏବଂ ରସୁଣ-ପିଆଜର ସୁଗନ୍ଧ ଏହି ସ୍ୟାଣ୍ଡୱିଚର ସ୍ୱାଦକୁ ଗାର୍ଲିକ୍ ବ୍ରେଡ୍ ଠାରୁ ମଧ୍ୟ ଅଧିକ ଟେଷ୍ଟି କରିଦେବ ।

Leave A Reply

Your email address will not be published.