କରାଚୀ: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ଏବଂ ଇନ୍ଧନ ସଙ୍କଟ ମଧ୍ୟରେ ପାକିସ୍ତାନ ସରକାର ଦେଶରେ ‘ପେଟ୍ରୋଲିୟମ୍ ସ୍ମାର୍ଟ ଲକଡାଉନ୍’ ଲାଗୁ କରିବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଆନ୍ତର୍ଜାତୀୟ ବଜାରରେ କଞ୍ଚା ତେଲର ଅଭାବ ଏବଂ ହର୍ମୁଜ ପ୍ରଣାଳୀରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକ ଯୋଗୁଁ ଦେଶରେ ତେଲ ଓ ଗ୍ୟାସର ପ୍ରବଳ ଅଭାବ ଦେଖାଦେଇଛି। ଏହି ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କ ସରକାର ଇନ୍ଧନ ଓ ବିଜୁଳି ସଞ୍ଚୟ ପାଇଁ ଏକ ଯୋଜନାର ଚିଠା ପ୍ରସ୍ତୁତ କରିଛନ୍ତି।
ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଦେଶର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସପ୍ତାହରେ କେବଳ ଚାରି ଦିନ ଖୋଲା ରଖାଯିବ ଏବଂ ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନିଆ ଛୁଟି ଘୋଷଣା କରାଯିବ। ଏହାଛଡ଼ା ବଜାର, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ସପ୍ତାହରେ ତିନି ଦିନ ବନ୍ଦ ରଖିବାକୁ କିମ୍ବା ସନ୍ଧ୍ୟାରେ ଶୀଘ୍ର ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। କର୍ମଚାରୀମାନଙ୍କ ପାଇଁ ‘ୱର୍କ ଫ୍ରମ୍ ହୋମ୍’ ନୀତି ଏବଂ ସରକାରୀ ଗାଡ଼ିଗୁଡ଼ିକ ପାଇଁ ତେଲ ଆବଣ୍ଟନରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କାଟ୍ କରିବାକୁ ବିଚାର କରାଯାଉଛି।
ଏହି ସ୍ମାର୍ଟ ଲକଡାଉନ୍ ମାଧ୍ୟମରେ ରାସ୍ତାରେ ବ୍ୟକ୍ତିଗତ ଯାନବାହନ ଚଳାଚଳ କମାଇ ସାର୍ବଜନୀନ ପରିବହନ ବ୍ୟବହାରକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାଦ୍ୱାରା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ପଡ଼ୁଥିବା ଚାପ କମିପାରିବ। ପାକିସ୍ତାନର କେନ୍ଦ୍ର ସରକାର ଏହି ଚିଠା ପ୍ରସ୍ତାବକୁ ସମସ୍ତ ପ୍ରାଦେଶିକ ସରକାରଙ୍କ ନିକଟକୁ ପଠାଇ ସେମାନଙ୍କର ମତାମତ ଲୋଡ଼ିଛନ୍ତି।
ସର୍ବସମ୍ମତି ପରେ ଏହି ସ୍ମାର୍ଟ ଲକଡାଉନ୍ ସମ୍ପର୍କରେ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇବ। ବର୍ତ୍ତମାନ ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବାରୁ ସାଧାରଣ ଜନତା ପ୍ରବଳ ସମସ୍ୟାର ସାମ୍ନା କରୁଛନ୍ତି।

