ବ୍ରହ୍ମପୁର: ଜେଲରୁ ଜାମିନରେ ବାହାରିବାକୁ ମାସେ ପୁରିନି, ପୁଣି ଥରେ ରୁଜୁ ହେଲା ମାମଲା। ଜୀବନରୁ ମାରିଦେବାକୁ ଧମକ ଦେଇ ଏବେ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡା। ୨ ସପ୍ତାହ ତଳେ ଜାମିନରୁ ମୁକୁଳିଥିବା ବିକ୍ରମ ପଣ୍ଡାଙ୍କ ପାଇଁ ପୁଣି ବଢ଼ିଛି ଅଡ଼ୁଆ। ଏବେ ଆଉ ଏକ ନୂଆ ମାମଲାରେ ଛନ୍ଦି ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ।
ସାକ୍ଷୀଙ୍କୁ ଫୋନ୍ରେ ଧମକଚମକ ଦେବା ଅଭିଯୋଗରେ ନୂଆ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି। ଜେଲ୍ରେ ଥିବା ସମୟରେ ଡାକ୍ତରଙ୍କ ଜରିଆରେ ବିକ୍ରମ ପଣ୍ଡା ଫୋନ୍ କରି ଜଣେ ସାକ୍ଷୀଙ୍କୁ ଧମକାଇଥିବା ଅଭିଯୋଗ ହୋଇଛି। ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ମଦନ ଦଳାଇଙ୍କ ନାଁରେ ମଧ୍ୟ ସାନି ମାମଲା ହୋଇଛି। ଜେଲ୍ର ସିସିଟିଭି ଏବଂ ବାର୍ତ୍ତାଳପରୁ ପ୍ରମାଣ ମିଳିବା ପରେ ରୁଜୁ କରାଯାଇଛି ମାମଲା। ଏଥିସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଚିଠି ଲେଖାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।
ଗତ ଅଗଷ୍ଟ ୨୮ ତାରିଖରେ ବିକ୍ରମ ପଣ୍ଡା ଏବଂ ମଦନ ଦଳେଇ ଜେଲ୍ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ଡାକ୍ତର ପାଣିଗ୍ରାହୀ ହ୍ବାଟ୍ସଆପ୍ ଜରିଆରେ ସାକ୍ଷୀଙ୍କୁ କଲ୍ କରିବା ପରେ, ବିକ୍ରମ ପଣ୍ଡା ଫୋନ୍ ନେଇ ଅନ୍ୟ ଏକ କୋଠରୀକୁ ପଳାଇଥିଲେ। ସେଠାରେ ସାକ୍ଷୀଙ୍କୁ ଫୋନ୍ରେ ଧମକାଇଥିଲେ। ଏପରିକି ମଦନ ମଧ୍ୟ ଧମକାଇଥିବା ଅଭିଯୋଗ ହୋଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ନିକଟରେ ସର୍ତ୍ତମୂଳକ ଜାମିନ ପାଇ ଜେଲ୍ରୁ ମୁକୁଳିଥିଲେ। ଏବେ ଆଉଏକ ସାଙ୍ଘାତିକ ଅଭିଯୋଗ ଆସିବା ପରେ ପୁଣି ଗିରଫଦାରୀ ଭୟ ବଢ଼ିଛି।

