Latest Odisha News

BREAKING NEWS

Dogs On Office Table: ଅଫିସ୍‌ ଟେବୁଲ୍‌ ଉପରେ ବୁଲା କୁକୁର ଛାଡିଲେ ନେତା! ଅଜବ ପ୍ରତିବାଦର ଭିଡିଓ ଭାଇରାଲ୍‌

ନାଶିକ୍: ମହାରାଷ୍ଟ୍ରର ନାଶିକ ଜିଲ୍ଲା ନିଫାଡ୍‌ରେ ବୁଲା କୁକୁରଙ୍କୁ ନେଇ ଏକ ଅଜବ ପ୍ରତିବାଦ ଚର୍ଚ୍ଚାରେ। ସହରରେ ବୁଲା କୁକୁରଙ୍କ ଆକ୍ରମଣ ଓ କାମୁଡ଼ିବା ଘଟଣା ବଢ଼ୁଥିବା ଅଭିଯୋଗ କରି ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀର କିଛି କର୍ମୀ ନିଫାଡ୍‌ ନଗର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ।  ପ୍ରତିବାଦ ସମୟରେ ସେମାନେ କିଛି ବୁଲା କୁକୁରଙ୍କୁ ନଗର ପଞ୍ଚାୟତର ମୁଖ୍ୟ ଅଧିକାରୀ ଧୀରଜ ଭାମରେଙ୍କ ଅଫିସ୍‌ ଭିତରକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଏକ ବସ୍ତାରେ କୁକୁରଙ୍କୁ ପୂରାଇ ସେ ଅଫିସ ପରିସରକୁ ନେଇଯାଇଥିଲେ । ଏପରିକି କୁକୁରମାନଙ୍କୁ ଅଧିକାରୀଙ୍କ ଟେବୁଲ୍‌ ଉପରେ ବସାଇ ଦିଆଯାଇଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି।

ଏହି ପ୍ରତିବାଦର ନେତୃତ୍ୱ ଯୁବ ସେନା ଜିଲ୍ଲା ମୁଖ୍ୟ ବିକ୍ରମ ରାନ୍ଧଭେ କରିଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ଦଳୀୟ କର୍ମୀମାନେ ମଧ୍ୟ ଥିଲେ। ପ୍ରତିବାଦକାରୀମାନେ ଅଭିଯୋଗ କରିଛନ୍ତି ଯେ, ନିଫାଡ୍‌ରେ ବୁଲା କୁକୁରଙ୍କ ସମସ୍ୟା ଦିନକୁ ଦିନ ବଢ଼ୁଛି। ଲୋକମାନେ କୁକୁର କାମୁଡ଼ା ଓ ଆକ୍ରମଣର ସାମ୍ନା କରୁଥିଲେ ମଧ୍ୟ ନଗର ପଞ୍ଚାୟତ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ ବୋଲି ସେମାନେ କହିଛନ୍ତି। ଏପରିକି ଅଧିକାରୀଙ୍କ ଗଳାରେ ଟଙ୍କା ନୋଟ୍‌ର ମାଳ ପିନ୍ଧାଇବାକୁ ମଧ୍ୟ ପ୍ରତିବାଦକାରୀମାନେ ଚେଷ୍ଟା କରିଥିବା କୁହାଯାଇଛି। ପ୍ରତିବାଦକାରୀମାନେ ନଗର ପଞ୍ଚାୟତ ପ୍ରଶାସନ ବୁଲା କୁକୁର ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ।

ସେପଟେ ମୁମ୍ବାଇରେ ମଧ୍ୟ କୁକୁରକୁ ନେଇ ଏକ ଘଟଣା ଚର୍ଚ୍ଚାକୁ ଆସିଛି। ଏକ ହାଇରାଇଜ୍‌ ଆପାର୍ଟମେଣ୍ଟର ଲିଫ୍ଟ ଭିତରେ ଏକ ପୋଷା କୁକୁର କିଛି ପିଲାଙ୍କ ଆଡ଼କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଘଟଣାଟି CCTVରେ କଏଦ ହୋଇଥିଲା। ଜଣେ ମହିଳା କୁକୁରଟିକୁ ଧରି ନିୟନ୍ତ୍ରଣ କରିବାରୁ ପିଲାମାନେ ବଞ୍ଚିଯାଇଥିଲେ। ଏହି ଘଟଣାରେ କାହାରି ଗୁରୁତର ଆହତ ହୋଇନଥିଲେ।

ନିଫାଡ୍‌ର ଏହି ଅଜବ ପ୍ରତିବାଦ ଏବେ ବୁଲା କୁକୁର ସମସ୍ୟାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ କରିଛି।

Leave A Reply

Your email address will not be published.