ସମ୍ବଲପୁର:ଏକ ଆନ୍ତଃ-ଜିଲ୍ଲା ସାଇବର ଓ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ । ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର, କ୍ରାଇମ୍ ଏବଂ ଇକୋନୋମିକ୍ ଅଫେନ୍ସ (CC & EO) ଥାନା ପୋଲିସ। ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ମାନେ ଝାରସୁଗୁଡ଼ା ଅଞ୍ଚଳର ତିନି ଭାଇ-ଭଉଣୀ ଝରଣା ବାଦୀ, ରାଜେଶ ବାଦୀ ଓ ରାଜକୁମାରୀ ବାଦୀ ।
ସେମାନେ ହେଲେ ଝାରସୁଗୁଡ଼ା ଜିଲା ଟାଉନଥାନା ଅନ୍ତର୍ଗତ ପୁରୁଣାବସ୍ତି ବାବୁପଡ଼ାର ମୂଳ ବାସିନ୍ଦା ଓ ବର୍ତ୍ତମାନ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତକାଇଁଶିର ସିଂପାଲିରେ ଏକ ଭଡ଼ାଘରେ ରହୁଥିବା ଦୁଇ ଭଉଣୀ ରାଜକୁମାରୀ ବାଦୀ (୨୪) ଓ ଝରଣା ବାଦୀ (୩୨) ତଥା ଭାଇ ରାଜେଶ ବାଦୀ (୩୮) । ଭାଇଭଉଣୀ ମିଶି ୟଟ୍ୟୁବରୁ ଠକେଇ କରିବାର ଉପାୟ ଶିଖି ଏହି କାରବାର ଚଳାଉଥିଲେ। ଏନେଇ ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଠାରୁ ୧୫ ଲକ୍ଷ ୫୦ ହଜାର ଟଙ୍କା, ୧୨ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, ୨୦ଟି ମୋବାଇଲ ଫୋନ୍, କେତେକ ନକଲି ଆଧାର କାର୍ଡ ଜବତ ହୋଇଛି । ସୁନା ରୂପା ଗହଣାରେ ଗୋଟିଏ ପୁରୁଷ ସୁନା ଚେନ୍, ୩ଟି ମହିଳା ସୁନା ଚେନ୍, ୩ଟି ମହିଳା ସୁନା ମୁଦି, ୩ଟି ପୁରୁଷ ସୁନା ମୁଦି,୧ ହଳ ସୁନା କାନଫୁଲ ଓ ୧ଟି ସୁନା ନାକଫୁଲ, ରୂପା ଗହଣା ୨ହଳ ଓ ୧ଟି ରୂପା ପାଉଁଜି, ୧ଟି ରୁପା ଚେନ୍ ଏବଂ ରୁପା ପ୍ଲେଟ୍ ରହିଛି ।
‘ଦିଶା ଅଗ୍ରୱାଲ’ ନାମରେ ଏକ ନକଲି ଫେସବୁକ୍ ଆଇଡି ପ୍ରସ୍ତୁତ କରି ଅଭିଯୁକ୍ତ ମାନେ ଟଙ୍କା ଦୁଇଗୁଣ କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ । ସମ୍ବଲପୁରର ଲିପକ କୁମାର ପ୍ରଧାନଙ୍କୁ ଏହି ଜାଲରେ ଫସାଇ ଉଚ୍ଚ ଆର୍ଥିକ ରିଟର୍ଣ୍ଣ ଆଶା ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିଲେ । ଏନେଇ ଅଭିଯୋଗ ହେବା ପରେ ସମ୍ବଲପୁର ସାଇବର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
କେବଳ ସମ୍ବଲପୁର ନୁହେଁ, ରାଉରକେଲାରେ ମଧ୍ୟ ଏହି ଗ୍ୟାଙ୍ଗ ଅନେକ ଲୋକଙ୍କୁ ଠକିଥିବା ସୂଚନା ମିଳିଛି ।

