ବିସିସିଆଇ ବାର୍ଷିକ ବୈଠକ: ଅଗରକରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଅନିଶ୍ଚିତତା, ଧମାଲ ପୂନର୍ବାର ହେଲେ ଆଇପିଏଲ ଚେୟାରମ୍ୟାନ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ କାର୍ୟ୍ୟକାଳ ବୃଦ୍ଧି ସମ୍ପର୍କରେ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟପଟେ ଅରୁଣ ସିଂହ ଧୂମଲ ପୁନର୍ବାର ଆଇପିଏଲ ଗଭର୍ଣ୍ଣିଂ କାଉନ୍ସିଲର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସିନିୟର ପୁରୁଷ ଚୟନ ସମିତି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ବୋର୍ଡ କର୍ମକର୍ତ୍ତାଙ୍କୁ କ୍ଷମତା ଦିଆଯାଇଛି । ଅଗରକର ୨୦୨୭ ଓଡ଼ିଆଇ ୱାର୍ଲ୍ଡକପ୍ ପର୍ୟ୍ୟନ୍ତ କାର୍ୟ୍ୟକାଳ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ, ଯେଉଁଠି ତାଙ୍କର ଚୁକ୍ତି ଅକ୍ଟୋବର ୨୦୨୬ ପର୍ୟ୍ୟନ୍ତ ରହିଛି । ଅଗରକର ହଟିଲେ ନୂଆ ଚୟନକର୍ତ୍ତା ପାଇଁ ଆବେଦନ ଓ ସାକ୍ଷାତକାର ପ୍ରକ୍ରିୟା ଆପଣାଯିବ। ଏହି ପଦ ପାଇଁ ପୂର୍ବତନ ୱିକେଟକିପର-ବ୍ୟାଟର ପାର୍ଥିବ ପଟେଲ ପ୍ରମୁଖ ଦାବିଦାର ହୋଇପାରନ୍ତି ।
ଜୁନିୟର ଚୟନ ସମିତିର ୫ଟି ପଦ ପାଇଁ ଆବେଦନ ଗ୍ରହଣ ସରିଥିଲେ ବି ସାକ୍ଷାତକାର ହୋଇନାହିଁ । ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ସମ୍ପାଦକ ସୌରଭ ତିୱାରୀ ରାଞ୍ଚିକୁ ସିରିଜରୁ ହଟାଯିବା ଖବରକୁ ଖଣ୍ଡନ କରିଛନ୍ତି । ୫ଟି ଟେଷ୍ଟ ବିଶିଷ୍ଟ ଏହି ସିରିଜ୍ ଜାନୁଆରୀ ୨୧ରୁ ନାଗପୁରରୁ ଆରମ୍ଭ ହୋଇ ଚେନ୍ନାଇ, ଗୁଆହାଟୀ, ରାଞ୍ଚି ଓ ଅହମ୍ମଦାବାଦରେ ଖେଳାଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ଆକ୍ଟ ଉପରେ ବିସିସିଆଇ ନିଜର ଆଭିମୁଖ୍ୟ ଆଲୋଚନା କରିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନ ମାମଲାରେ ବିସିସିଆଇର ସ୍ପଷ୍ଟ କହିବା କଥା ଯେ, କ୍ରିକେଟକୁ ଏହି ଆଇନ ଅଧୀନରେ ‘ଡେଜିଗ୍ନେଟେଡ୍ ସ୍ପୋର୍ଟ’ ଭାବେ ଗ୍ରହଣ କରାଯାଇପାରିବ ନାହିଁ ।

