Latest Odisha News

BREAKING NEWS

କୁନୋରେ ସଫଳ ହେଉଛି ‘ଚିତା ପ୍ରକଳ୍ପ’; ୪ ଶାବକ ଜନ୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୪ ନୂଆ ଅତିଥି। ଏହି ଚିତା ଶାବକଙ୍କ ଜନ୍ମ ପରେ ପାର୍କରେ ଭାରତୀୟ ଜନ୍ମିତ ଚିତାଙ୍କ ସଂଖ୍ୟା ୨୩କୁ ବୃଦ୍ଧି ହୋଇଛି।

KGP 12 ହେଉଛି ପ୍ରଥମ ଥର ପାଇଁ ମାତୃତ୍ୱ ଲାଭ କରିଥିବା ଭାରତରେ ଜନ୍ମିତ ଦ୍ୱିତୀୟ ମାଈ ଚିତା। ପୂର୍ବରୁ ଏକ ଭାରତୀୟ ମାଈ ଚିତା ମୁଖୀ ଛୁଆମାନଙ୍କୁ ଜନ୍ମ ଦେଇଥିଲା। ଚାରିଟି ନବଜାତ ଶାବକ ଏବଂ ମାତୃ ଚିତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ କରାଯାଇଛି। ଡାକ୍ତର ଏବଂ କୁନୋ ପରିଚାଳନା ଦଳ ନିରନ୍ତର ସେମାନଙ୍କ ଉପରେ ନଜର ରଖୁଛନ୍ତି।

ଅପରପକ୍ଷରେ କୁନୋ ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଥିବା ଚିତା ପ୍ରକଳ୍ପ ଚାରି ବର୍ଷ ପୂରଣ କରିଛି। ପ୍ରଥମ ଚିତା ୧୭ ସେପ୍ଟେମ୍ବର ୨୦୨୨ରେ ସେଠାରେ ଛଡ଼ାଯାଇଥିଲା ଏବଂ ଏହି ପ୍ରକଳ୍ପ ୧୭ ସେପ୍ଟେମ୍ବର ୨୦୨୬ରେ ଏହାର ସଫଳତାର ଚତୁର୍ଥ ବାର୍ଷିକୀ ପାଳନ କରିବ। ଏହି ଅବସରରେ ଦେଶ ତଥା ପଶୁ ପ୍ରେମୀଙ୍କୁ ଏକ ଉପହାର ମିଳିଛି। କୁନୋରେ ଜନ୍ମିତ ମାଈ ଚିତା KGP 12 ଚାରିଟି ଛୁଆଙ୍କୁ ଜନ୍ମ ଦେବା ଘଟଣା ଏହି ଚିତା ପ୍ରକଳ୍ପର ସଫଳତାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।

ତେବେ କୁନୋରେ ଚାରୋଟି ନୂଆ ଚିତା ଛୁଆ ଜନ୍ମ ହେବା ପରେ ଦେଶରେ ଚିତା ସଂଖ୍ୟା ୫୬ରେ ପହଞ୍ଚିଛି। ଶେଓପୁରର କୁନୋ ପାର୍କରେ ବର୍ତ୍ତମାନ ୫୩ଟି ଚିତା ଅଛନ୍ତି। ମନ୍ଦସୌରର ଗାନ୍ଧୀ ସାଗର ଅଭୟାରଣ୍ୟରେ ବର୍ତ୍ତମାନ ୩ ଚିତା ଅଛନ୍ତି। କୁନୋରେ ଆଠଟି ଚିତା ଏବଂ କିଛି ଛୁଆ ଏବେ ଖୋଲା ଜଙ୍ଗଲରେ ମୁକ୍ତ ଭାବରେ ବିଚରଣ କରୁଛନ୍ତି।

କେନ୍ଦ୍ର ବନ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ କୁନୋ ଜାତୀୟ ଉଦ୍ୟାନରେ KGP 12 ଶାବକ ଜନ୍ମ ନେଇ ଖୁସି ପ୍ରକାଶ କରିଛନ୍ତି।ଏଥିସହିତ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଶରେ ଚିତା ପ୍ରକଳ୍ପର ସଫଳତା ପାଇଁ ଅଧିକାରୀମାନଙ୍କୁ ଅଭିନନ୍ଦନ ଏବଂ ଶୁଭକାମନା ଦେଇଛନ୍ତି।

Leave A Reply

Your email address will not be published.