Latest Odisha News

BREAKING NEWS

Car Swept Away:ଭାସିଯାଇ ଓଡ଼ିଆ ପର୍ଯ୍ୟଟକ;ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନାଳକୁ ଖସିଗଲା କାର , ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଓଡ଼ିଆ ଶ୍ରଦ୍ଧାଳୁ ରହିଛନ୍ତି । କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପରିଚୟ ମିଳିଛି । ଏମାନେ ଭୁବନେଶ୍ବର ଜୟଦେବ ବିହାରର ଢାବା ମାଲିକ ବନମାଳୀ ବେହେରାଙ୍କ ପରିବାରର ବୋଲି ଜଣା ପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଏହି ପରିବାର ଓଡ଼ିଶାରୁ ଉଜ୍ଜୟିନୀ ବୁଲିବାକୁ ଆସିଥିଲେ; ପରେ ସେମାନେ କାର୍ ଯୋଗେ ନାଲଖେଡ଼ାସ୍ଥିତ ବଗଳାମୁଖି ମନ୍ଦିର ଯାଇଥିଲେ ଏବଂ ସେଠାରୁ ଫେରିବା ସମୟରେ ଦୁର୍ଘଟଣାଟି ଘଟିଥିଲା।

ମୃତକମାନେ ହେଲେ:- ଶିବ ବେହେରା (୪୦),ସ୍ୱୟଂପ୍ରଭା ବେହେରା (୭), କ୍ରିସ୍ ବେହେରା (୧୩),ରାଧାରାଣୀ ବେହେରା (୩୦),ଜ୍ଞାନେନ୍ଦ୍ର ବେହେରା (୪୦),ରୀତାରାଣି ବେହେରା (୩୫), ରିଶି ବେହେରା (୧୧) ।

ମଧ୍ୟପ୍ରଦେଶ ମାଲୱା ଅଞ୍ଚଳରେ ବଗଳାମୁଖି ମାତାଙ୍କୁ ଦର୍ଶନ କରିବାକୁ ଆସିଥିବା ଓଡ଼ିଆ ଶ୍ରଦ୍ଧାଳୁଙ୍କ କାର୍‌ ଏକ ନାଳରେ ବୁଡ଼ିଯିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ଯରେ ୭ଜଣ ଓଡ଼ିଶାର ଭୁବନେଶ୍ବର ହୋଇଥିବାବେଳେ ଅନ୍ୟଜଣେ ମୃତକ(ଡ୍ରାଇଭର) ମଧ୍ୟପ୍ରଦେଶର।

ମଧ୍ୟପ୍ରଦେଶରେ ୭ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ ନିଜ X ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି, “ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକମାନଙ୍କର ଦୁଃଖଦ ମୃତ୍ୟୁ ଘଟଣାରେ ମୁଁ ଗଭୀର ମର୍ମାହତ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ମୃତଦେହକୁ ଉଚିତ୍ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବା ସୁନିଶ୍ଚିତ କରିବା ପାଇଁ ମୁଁ ଅଧିକାରୀମାନଙ୍କୁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ଦୁଃଖଦ ସମୟରେ ରାଜ୍ୟ ସରକାର ଶୋକସନ୍ତପ୍ତ ପରିବାରବର୍ଗଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି ।”

ସମସ୍ତ ପାର୍ଥିବ ଶରୀରକୁ ବିମାନରେ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଥାଉକି, ଓଡ଼ିଆ ତୀର୍ଥଯାତ୍ରୀମାନେ ଶନିବାର ମା’ ବଗଳାମୁଖି ମନ୍ଦିରରେ ଦର୍ଶନ ଶେଷ କରି ଏକ କାର୍ ଫେରୁଥିଲେ । ଏହି ସମୟରେ ବର୍ଷାଜଳ ପୂର୍ଣ୍ଣ ନାଳ ପାର୍ କରୁଥିବା ସମୟରେ କାର୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଆଖିପିଛୁଳାକେ ପାଣିର ସ୍ରୋତରେ କାର୍‌ଟି ଭାସି ଯାଇଥିଲା । ଏହି ଦୁର୍ଘଟଣା ଏତେ ତତ୍‌କ୍ଷଣାତ୍ ଘଟିଥିଲା ଯେ, ଏଥିରୁ ବର୍ତ୍ତିବା ପାଇଁ କୌଣସି ସୁଯୋଗ ମଧ୍ୟ ମିଳିନଥିଲା ।

ମାଲୱା ଜିଲ୍ଲାପାଳ ଶେର ସିଂହ ମୀନା କହିଛନ୍ତି, “ଭୋର ସମୟର ଅନ୍ଧକାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ନାଳରେ ପାଣିର ସ୍ତର କମିବା ପରେ ହିଁ କାର୍‌ର ଛାତ ଦୃଶ୍ୟମାନ ହୋଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ଦଳ ଗାଡ଼ି ଭିତରୁ ଆଠଟି ମୃତଦେହ (ପାଞ୍ଚ ଜଣ ବୟସ୍କ ଓ ତିନି ଜଣ ଶିଶୁ) ଉଦ୍ଧାର କରିଥିଲେ । ପୋଲର ଉଭୟ ପାର୍ଶ୍ୱରେ ଲୁହାର ବ୍ୟାରିକେଡ୍ ରହିଛି, ତେଣୁ କାର୍‌ଟି ପୋଲ ଉପରୁ ଖସିପଡ଼ିଥିଲା ​​ନା ଅନ୍ୟ କୌଣସି ସ୍ଥାନରୁ ପଡ଼ିଥିଲା, ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ।”

 

Leave A Reply

Your email address will not be published.