Latest Odisha News

BREAKING NEWS

ଟପ୍ ସିଙ୍ଗର ଥିଲେ, ତଥାପି ଲାଗିଲା ବ୍ୟାନ୍: ଜାଣନ୍ତୁ ୧୯୭୫ ମସିହାରେ କିଶୋର କୁମାରଙ୍କ ସହ କ’ଣ ଘଟିଥିଲା

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଯାଦୁଗରୀ ସ୍ୱର ଆଜି ବି କୋଟି କୋଟି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛି । ତେବେ ତାଙ୍କ ସୁଦୀର୍ଘ ସାଙ୍ଗୀତିକ କ୍ୟାରିୟରରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କ ଗୀତ ଶୁଣିବା ଉପରେ ସରକାରୀ କଟକଣା ଲଗାଯାଇଥିଲା। ୧୯୭୫ ରୁ ୧୯୭୭ ମସିହା ମଧ୍ୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମୟରେ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ କିଶୋର କୁମାରଙ୍କ ଗୀତ ପ୍ରସାରଣ ଉପରେ ବ୍ୟାନ୍ ଲାଗିଥିଲା । ନିକଟରେ ତାଙ୍କ ପୁଅ ତଥା ଜଣାଶୁଣା ଗାୟକ ଅମିତ କୁମାର ଏହି ଐତିହାସିକ ଘଟଣାର ପଛର ସତ୍ୟତା ବଖାଣିଛନ୍ତି ।

କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅମିତ କୁମାର ଏହି ପୁରୁଣା କଥାକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ୧୯୭୫ ମସିହାରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଗଲା, ସେତେବେଳେ କିଶୋର କୁମାର ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ କ୍ଷେତ୍ରରେ ଶୀର୍ଷରେ ଥିଲେ । ଦିନେ ଦିଲ୍ଲୀର ଏକ ସରକାରୀ ମନ୍ତ୍ରଣାଳୟରୁ ଜଣେ ବରିଷ୍ଠ ଅଧିକାରୀ ତାଙ୍କ ପାଖକୁ ଫୋନ୍ କରିଥିଲେ । ଫୋନ୍ କଲ୍‌ରେ ଅଧିକାରୀ ଜଣକ କହିଥିଲେ, “କିଶୋର ସାହାବ, ଆମେ ଆପଣଙ୍କ ପାଇଁ ଏକ ଫ୍ଲାଇଟ୍ ଟିକେଟ୍ ପଠାଉଛୁ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଆପଣ ଦିଲ୍ଲୀ ଆସନ୍ତୁ, କାରଣ ପରଦିନ ଆପଣଙ୍କର ଗୋଟିଏ ସରକାରୀ ଶୋ’ ଅଛି ।”

ଏଭଳି ହଠାତ୍ ଆଦେଶ ଶୁଣିବା ପରେ କିଶୋର କୁମାର ରୋକ୍‌ଠୋକ୍ ଭାବେ ମନା କରିଦେଇଥିଲେ । ସେ ସେହି ଅଧିକାରୀଙ୍କୁ କହିଥିଲେ ଯେ, ପ୍ରଥମେ କଥାବାର୍ତ୍ତା କରିବା ପାଇଁ ତାଙ୍କର କୌଣସି ପ୍ରତିନିଧିଙ୍କୁ ମୁମ୍ବାଇ ପଠାନ୍ତୁ। ଯଦି ପ୍ରତିନିଧି ଆସିବେ ତେବେ ଯାଇ ସେ ଦିଲ୍ଲୀ ଯିବା ନେଇ ବିଚାର କରିବେ । ଏହା ସହିତ କିଶୋର ଦା’ ନିଜ ଚିରାଚରିତ ଢଙ୍ଗରେ କହିଥିଲେ, “ଯଦି ସାକ୍ଷାତ ଭଗବାନ ଆସି କହିବେ, ତଥାପି ବି ମୁଁ ଏବେ ଯାଇପାରିବି ନାହିଁ ।”

ତାଙ୍କର ଏଭଳି ବେପରୁଆ ଓ ସିଧାସଳଖ ଜବାବ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ଖୁବ୍ ବାଧିଥିଲା। ଅଧିକାରୀ ଜଣକ ସଙ୍ଗେ ସଙ୍ଗେ ତାଙ୍କୁ ବ୍ୟାନ୍ କରିଦେବାର ଧମକ ଦେଇଥିଲେ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ସେହି ଫୋନ୍ କଲ୍ କଟିବାର ମାତ୍ର ଦୁଇ ଘଣ୍ଟା ଭିତରେ ସମଗ୍ର ଦେଶରେ କିଶୋର କୁମାରଙ୍କ ଉପରେ କଟକଣା ଲଗାଇ ଦିଆଗଲା। ଆକାଶବାଣୀ ଓ ଦୂରଦର୍ଶନରୁ ତାଙ୍କର ସମସ୍ତ ଗୀତ ପ୍ରସାରଣ ଉପରେ ରୋକ୍ ଲଗାଗଲା ।

ତେବେ ଏହି ବ୍ୟାନ୍ କିଶୋର କୁମାରଙ୍କ ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ପ୍ରାୟ ଗୋଟିଏ ବର୍ଷ ଧରି ତାଙ୍କ ଗୀତ ସରକାରୀ ଗଣମାଧ୍ୟମରେ ବାଜି ନଥିଲା । କିନ୍ତୁ ଜରୁରୀକାଳୀନ ପରିସ୍ଥିତି ହଟିବା ପରେ ପୁଣିଥରେ ରେଡିଓ ଓ ଟିଭିରେ ତାଙ୍କର ସୁମଧୁର ସ୍ୱର ଗୁଞ୍ଜରିତ ହେବାକୁ ଲାଗିଲା। ଆଜି ବି ‘ମେରେ ସପନୋ କି ରାନୀ’, ‘ୟେ ଶାମ୍ ମସ୍ତାନୀ’ କିମ୍ବା ‘ପଲ୍ ପଲ୍ ଦିଲ୍ କେ ପାସ୍’ ଭଳି ତାଙ୍କର ଅସଂଖ୍ୟ ଗୀତ ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ।

Leave A Reply

Your email address will not be published.