ଭୁବନେଶ୍ୱର: ଖଣି ଏବଂ ଖଣିଜ ଦ୍ରବ୍ୟ ବିକାଶ ତଥା ନିୟନ୍ତ୍ରଣ (ଏମଏମଡିଆର) ଆଇନରେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସଂଶୋଧନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ତୁରନ୍ତ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପତ୍ର ଲେଖିଛନ୍ତି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଏମଏମଡିଆର ସଂଶୋଧନ ଆଇନ ଲାଗୁ ହେଲେ ଓଡ଼ିଶା ଭଳି ଏକ ଖଣିଜ ସମ୍ପଦଭରା ରାଜ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ବୋଲି ନବୀନ ନିଜ ଚିଠିରେ ଉଦବେଗ ପ୍ରକାଶ କରିଛନ୍ତି । ବିଶେଷ କରି ରାଜ୍ୟର ରାଜସ୍ୱ ଆଦାୟ ଉପରେ ଏହାର ସିଧାସଳଖ ନକାରାତ୍ମକ ପ୍ରଭାବ ପଡ଼ିବ। ନବୀନ ଉଲ୍ଲେଖ କରିଛନ୍ତି ଯେ, ଖଣିଜ ସମ୍ପଦ ଉପରେ ରାଜ୍ୟର ହକ୍ ଏବଂ ଅଧିକାରକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ୱ । ଓଡ଼ିଶାର ବିକାଶ, ଭିତ୍ତିଭୂମି ନିର୍ମାଣ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପାଇଁ ଖଣିରୁ ଆଦାୟ ହେଉଥିବା ଟିକସ ହିଁ ମୁଖ୍ୟ ଆର୍ଥିକ ଉତ୍ସ । ଯଦି କେନ୍ଦ୍ରର ଏହି ନୂଆ ଆଇନ ବଳରେ ରାଜ୍ୟର ରାଜସ୍ୱ କମିଯାଏ, ତେବେ ଓଡ଼ିଶାର ପ୍ରଗତିର ଧାରା ଗୁରୁତର ଭାବେ ବାଧାପ୍ରାପ୍ତ ହେବ ।
ରାଜ୍ୟର ସ୍ୱାର୍ଥ ସମ୍ବଳିତ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ, ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯାଇ ଏହି ପ୍ରସ୍ତାବିତ ସଂଶୋଧନର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ଦରକାର । ବିଧାନସଭାରେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରାଯାଇ କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶାର ଏକ ଦୃଢ଼ ଦାବି ଉପସ୍ଥାପନ କରାଯିବା ଉଚିତ୍, ଯାହାଦ୍ୱାରା ରାଜ୍ୟର ଅଧିକାର ସୁରକ୍ଷିତ ରହିପାରିବ ।
ବର୍ତ୍ତମାନ ଏହି ଚିଠିକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି । ବିରୋଧୀ ଦଳ ନେତାଙ୍କ ଏହି ଯୁକ୍ତିଯୁକ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିପରି ଗ୍ରହଣ କରୁଛନ୍ତି ଏବଂ ରାଜ୍ୟର ଅଧିକାର ସୁରକ୍ଷା ନିମନ୍ତେ କେନ୍ଦ୍ର ନିକଟରେ ବିଜେପି ସରକାର କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଦେଖିବା ବାକି ରହିଲା ।

