କିଭ୍/ମସ୍କୋ: ମସ୍କୋ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ ଉଦ୍ୟମ ପରେ ରୁଷ ଏବେ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଛି । ପ୍ରତିଶୋଧ ପରାୟଣ ହୋଇ ରୁଷୀୟ ବାହିନୀ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଘନଘନ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି । ଏହି ଭୟଙ୍କର ଆକ୍ରମଣ ଫଳରେ କିଭ୍ ସହର ଥରି ଉଠିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ଏକ ନୂଆ ତଥା ଅଧିକ ବିପଜ୍ଜନକ ମୋଡ଼ ନେଇଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ, ଘଟଣାର କିଛି ସମୟ ପୂର୍ବରୁ ୟୁକ୍ରେନ୍ ପକ୍ଷରୁ ରୁଷର ରାଜଧାନୀ ମସ୍କୋକୁ ଟାର୍ଗେଟ୍ କରି ଅନେକଗୁଡ଼ିଏ ଡ୍ରୋନ୍ ପ୍ରେରଣ କରାଯାଇଥିଲା । ତେବେ ରୁଷର ଏୟାର ଡିଫେନ୍ସ ସିଷ୍ଟମ୍ ସକ୍ରିୟ ହୋଇ ଆକାଶ ମାର୍ଗରେ ହିଁ ଏହି ଡ୍ରୋନ୍ଗୁଡ଼ିକୁ ନଷ୍ଟ କରିଦେଇଥିଲା । ଏହି ଆକ୍ରମଣ ପ୍ରୟାସକୁ ନେଇ କ୍ରେମଲିନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହାର ଠିକ୍ ପରେ ପରେ ରୁଷୀୟ ସେନା ପକ୍ଷରୁ କିଭ୍ ସହର ଉପରେ ହମଲା ଆରମ୍ଭ କରିଥିଲା ।
ମଧ୍ୟରାତ୍ରିରେ କିଭ୍ ସହରର ବିଭିନ୍ନ ସ୍ଥାନରେ ଏୟାର ରେଡ୍ ସାଇରନ୍ ବାଜି ଉଠିଥିଲା । ଲୋକେ ପ୍ରାଣ ବିକଳରେ ସୁରକ୍ଷିତ ଆଶ୍ରୟସ୍ଥଳୀ ଓ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନଗୁଡ଼ିକରେ ଲୁଚିବାକୁ ବାଧ୍ୟ ହୋଇଥିଲେ । ଆକାଶରୁ ବର୍ଷୁଥିବା କ୍ଷେପଣାସ୍ତ୍ର ଯୋଗୁଁ ଅନେକ ଆବାସିକ କୋଠା ଓ ଗୁରୁତ୍ୱପୂର୍ଣ୍ଣ ସାଧାରଣ ଭିତ୍ତିଭୂମି ନଷ୍ଟ ହୋଇଯାଇଛି । ସହରର ଅନେକ ସ୍ଥାନରେ ନିଆଁ ଲାଗିଯାଇଥିବା ବେଳେ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ଏବଂ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । କେତେକ ସ୍ଥାନରେ ବିଦ୍ୟୁତ୍ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇପଡ଼ିଛି ।
ୟୁକ୍ରେନ୍ ସେନା ପକ୍ଷରୁ କୁହାଯାଇଛି ଯେ, ରୁଷ ଦ୍ୱାରା ଛଡ଼ାଯାଇଥିବା ଅଧିକାଂଶ କ୍ଷେପଣାସ୍ତ୍ରକୁ ସେମାନେ ଆକାଶ ମାର୍ଗରେ ହିଁ ନଷ୍ଟ କରିଦେବାରେ ସଫଳ ହୋଇଛନ୍ତି, ତଥାପି କିଛି କ୍ଷେପଣାସ୍ତ୍ର ଜନବସତି ଅଞ୍ଚଳରେ ପଡ଼ି ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
ଅନ୍ୟପକ୍ଷରେ ରୁଷିଆ ନିଜ ଆକ୍ରମଣକୁ ଯୁକ୍ତିଯୁକ୍ତ ଦର୍ଶାଇ କହିଛି ଯେ ମସ୍କୋ ଉପରେ ଯେକୌଣସି ପ୍ରକାରର ଆକ୍ରମଣର କଡ଼ା ଜବାବ ଦିଆଯିବ ଏବଂ ୟୁକ୍ରେନର ସାମରିକ ତଥା ଯୋଗାଯୋଗ ଭିତ୍ତିଭୂମି ଉପରେ ହମଲା ଜାରି ରହିବ ।

