Latest Odisha News

BREAKING NEWS

ଡିଜେ-ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଖୁବଶୀଘ୍ର ଆସିବ ଗାଇଡଲାଇନ

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଉତ୍ସାହ ଲାଗି ରହିବ। ଏବେ ଗଣେଶ ପୂଜା ଶେଷ ହୋଇଛି। ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଆସୁଛି। ପାର୍ବଣକୁ ନେଇ ଚାରିଆଡେ ଉତ୍ସାହ ଲାଗି ରହିଥିବା ବେଳେ କମିସନରେଟ ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଛି। ସେହିପରି ହାଇକୋର୍ଟ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ ଶୁଣିବାକୁ ମିଳୁଛି। ଅନୁମତି ଦେବାପରେ ଶବ୍ଦ ପ୍ରଦୂଷଣର ଯାଞ୍ଚ ହେଉ ନଥିବାରୁ ଏଥିରେ ରୋକ୍‌‌ ଲାଗି ପାରୁନାହିଁ।

ଓଡିଶାରେ ଡିଜେ (DJ), ମୋଡିଫାଏଡ୍ ସାଉଣ୍ଡ ସିଷ୍ଟମ୍ ଏବଂ ଲେଜର ଲାଇଟ୍ ବ୍ୟବହାର ଉପରେ ହାଇକୋର୍ଟ ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି। ପାର୍ବଣ ଓ ଶୋଭାଯାତ୍ରା ସମୟରେ ହେଉଥିବା ଅତ୍ୟଧିକ ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ୬ ସପ୍ତାହ ମଧ୍ୟରେ ଗାଇଡଲାଇନ୍ ଆଣିବା ନେଇ ସୁନିଶ୍ଚିତ କରିବାକୁ ଜଗତସିଂହପୁର ଏସ୍ ଡିଏମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଚାରପତି ଜଷ୍ଟିସ ଆର୍ .କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ଟେଣ୍ଟ ଲାଇଟ୍ ଆଣ୍ଡ ସାଉଣ୍ଡ ଓନର୍ସ ଆସୋସିଏସନ୍ ର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୧୫ ସେପ୍ଟେମ୍ବରରେ ଜଗତସିଂହପୁର ଏସ୍ ଡିଏମ୍ ଡିଜେ ବ୍ୟବହାର ଉପରେ କଟକଣା ଜାରି କରିଥିଲେ। ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଏଜିଏ ସର୍ବେଶ୍ୱର ବେହେରା ଡିଜେର ପ୍ରଚଣ୍ଡ ଶବ୍ଦ ଯୋଗୁ ବୟସ୍କ ଓ ଅସୁସ୍ଥ ବ୍ୟକ୍ତି ଅସୁବିଧାରେ ପଡ଼ୁଥିବା ଦର୍ଶାଇଥିଲେ। ଡିଜେରୁ ବାହାରୁଥିବା ବିକଟାଳ ଓ ପ୍ରଚଣ୍ଡ ଶବ୍ଦ ଶବ୍ଦ ପ୍ରଦୂଷଣର କାରଣ ହେଉଥିବାରୁ ଏହା ଉପରେ କଟକଣା ଲଗାଇବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶ ଆଇନସମ୍ମତ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ।

ଅନ୍ୟପକ୍ଷରେ, ଆବେଦନକାରୀଙ୍କ ପକ୍ଷରୁ ଡିଜେ ଓ ସାଉଣ୍ଡ ସିଷ୍ଟମ୍ ର ସମ୍ପୂର୍ଣ୍ଣ ବ୍ୟବହାର ବନ୍ଦ କରିବା ବଦଳରେ ନିର୍ଦ୍ଧାରିତ ନିୟମ, ଶବ୍ଦ ସୀମା ଓ ଅନ୍ୟ ମାନଦଣ୍ଡ ମଧ୍ୟରେ ଏହା ବ୍ୟବହାର ପାଇଁ ଅନୁମତି ଦିଆଯିବା ଉଚିତ ବୋଲି ଯୁକ୍ତି ରଖାଯାଇଥିଲା । ୨୦୨୪ରେ ସମାନ ପ୍ରସଙ୍ଗରେ ହାଇକୋର୍ଟ ଗାଇଡଲାଇନ୍ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପର୍ଯ୍ୟନ୍ତ ତାହା ପ୍ରଣୟନ ହୋଇନଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

Leave A Reply

Your email address will not be published.