କଟକ: ଆପଣ ଯଦି ବଜାରରୁ ପନିର କିଣି ଖାଉଛନ୍ତି, ତେବେ ଟିକେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣ ଖାଉଥିବା ଏହି ପନିର ସମ୍ପୂର୍ଣ୍ଣ ନକଲି ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିଷାକ୍ତ ହୋଇପାରେ । କଟକ ଜିଲ୍ଲା ନିଆଳି ଅଞ୍ଚଳରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ପନିରକୁ ନେଇ ଏବେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଏହି ପନିରରେ ବିପୁଳ ପରିମାଣର ମଇଦା ଏବଂ ଲୁଗାସଫା ଡିଟରଜେଣ୍ଟ ମିଶାଯାଉଥିବା ହରିୟାଣା ଲ୍ୟାବ୍ରୁ ଆସିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିଆଳି ଅଞ୍ଚଳରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ପନିର ଜବତ କରାଯାଇଥିଲା । ଏହି ଚଢ଼ାଉ ବେଳେ ପ୍ରାୟ ୭୩ କ୍ୱିଣ୍ଟାଲ୍ ସନ୍ଦିଗ୍ଧ ପନିର ଜବତ ହୋଇଥିଲା । ଏହାର ଗୁଣବତ୍ତା ଏବଂ ପ୍ରକୃତ ଉପାଦାନ ଜାଣିବା ପାଇଁ ଜବତ ନମୁନାଗୁଡ଼ିକୁ ଟେଷ୍ଟିଂ ନିମନ୍ତେ ହରିୟାଣାର ଏକ ଉନ୍ନତମାନର ଲାବୋରେଟୋରୀକୁ ପଠାଯାଇଥିଲା । ବର୍ତ୍ତମାନ ଏହି ବହୁ ପ୍ରତୀକ୍ଷିତ ଟେଷ୍ଟିଂ ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି, ଯାହା ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି ।
କଟକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତ ତଥା ଲ୍ୟାବ୍ ରିପୋର୍ଟରୁ ଏହି ପନିରରେ ବ୍ୟାପକ ମାତ୍ରାରେ ଅପମିଶ୍ରଣ ହୋଇଥିବା ପ୍ରମାଣିତ ହୋଇଛି । ଅସାଧୁ ବ୍ୟବସାୟୀମାନେ ଅଧିକ ଲାଭ କମାଇବା ଆଶାରେ କ୍ଷୀର ବଦଳରେ ପନିରରେ ବିପୁଳ ପରିମାଣର ମଇଦା ମିଶାଉଥିଲେ, ଯାହାଦ୍ୱାରା ପନିରର ଓଜନ ବଢ଼ିପାରିବ। ଆଶ୍ଚର୍ଯ୍ୟର କଥା ହେଉଛି, ପନିରକୁ ଦେଖିବାକୁ ଚିକ୍କଣ ଏବଂ ସଫ୍ଟ କରିବା ପାଇଁ ଏଥିରେ କ୍ଷତିକାରକ ଡିଟରଜେଣ୍ଟ ପାଉଡରର ବ୍ୟବହାର କରାଯାଉଥିଲା। ଲୋକମାନେ ସତତେଜ ଓ ନରମ ପନିର ଭାବି ଯାହାକୁ ଆଗ୍ରହର ସହ କିଣି ଘରକୁ ନେଉଥିଲେ, ତାହା ପ୍ରକୃତରେ ପେଟ ଭିତରକୁ ଯାଇ ମାରାତ୍ମକ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି ।
ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଭୟ ଓ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନକଲି ଖାଦ୍ୟ ସାମଗ୍ରୀ ତିଆରି କରୁଥିବା ଏହି ମାଫିଆମାନେ ଲୋକଙ୍କ ଜୀବନ ସହ ଖୋଲାଖୋଲି ଖେଳ ଖେଳୁଛନ୍ତି । ରିପୋର୍ଟ ଆସିବା ପରେ ଏବେ ଖାଦ୍ୟ ସୁରକ୍ଷା ବିଭାଗ ଓ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏଭଳି ହୀନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅସାଧୁ ବ୍ୟବସାୟୀ ଏବଂ କାରଖାନା ମାଲିକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି।

