ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ଆମେ ପ୍ରତିଦିନ ଖାଦ୍ୟରେ ସତେଜ ପନିପରିବାକୁ ସାମିଲ କରିଥାଉ । କିନ୍ତୁ ଆମେ ଖାଉଥିବା ଏହି ସବୁଜ ପନିପରିବା ପ୍ରକୃତରେ ସୁରକ୍ଷିତ ତ? ଏମିତି ଏକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି । ଏଲସେଭିୟର ପବ୍ଲିକେସନ୍ସର ପ୍ରସିଦ୍ଧ ପତ୍ରିକା ‘ଏନର୍ଜି ନେକ୍ସସ୍’ରେ ପ୍ରକାଶିତ ଏକ ସଦ୍ୟ ଗବେଷଣା ରିପୋର୍ଟରୁ ଏକ ଭୟାନକ ତଥ୍ୟ ସାମ୍ନାକୁ ଆସିଛି । ନୂଆଦିଲ୍ଲୀ ଦେଇ ପ୍ରବାହିତ ଯମୁନା ନଦୀ କୂଳରେ ଚାଷ ହେଉଥିବା ପନିପରିବାରେ ମାରାତ୍ମକ ‘ହେଭି ମେଟାଲ୍’ କିମ୍ବା ଭାରୀ ଧାତୁ ଅତ୍ୟଧିକ ମାତ୍ରାରେ ଥିବା ଜଣାପଡ଼ିଛି, ଯାହା ମଣିଷ ଶରୀରରେ କର୍କଟ (କ୍ୟାନସର) ଭଳି ଭୟଙ୍କର ରୋଗ ସୃଷ୍ଟି କରିପାରେ ।
ଏହି ଗବେଷଣା ଅନୁଯାୟୀ, ଦିଲ୍ଲୀ ସହରର ଦୂଷିତ ଜଳ ଏବଂ ଶିଳ୍ପ ବର୍ଜ୍ୟବସ୍ତୁ ଯମୁନା ନଦୀରେ ମିଶୁଛି । ଯମୁନା ନଦୀର ମୋଟ ପ୍ରଦୂଷଣର ୭୦ ରୁ ୮୦ ପ୍ରତିଶତ କେବଳ ଦିଲ୍ଲୀରୁ ହିଁ ଆସିଥାଏ । ନଦୀ କୂଳରେ ତଥା ସହର ଉପକଣ୍ଠରେ ଥିବା ଚାଷୀମାନେ ନିଜ କ୍ଷେତରେ ଜଳସେଚନ ପାଇଁ ଏହି ପ୍ରଦୂଷିତ ଏବଂ ବିଶୋଧନ ହୋଇନଥିବା ପାଣିର ବହୁଳ ବ୍ୟବହାର କରୁଛନ୍ତି । ଫଳରେ ପାଣିରେ ଥିବା ମଲିବଡେନମ୍, ଆଲୁମିନିୟମ୍, ସୀସା , ନିକେଲ୍, କ୍ରୋମିୟମ୍, କାଡମିୟମ୍ ଏବଂ ଜିଙ୍କ୍ ଭଳି ମାରାତ୍ମକ ଧାତୁ ସିଧାସଳଖ ମାଟି ଓ ପନିପରିବା ଭିତରକୁ ପ୍ରବେଶ କରୁଛି ।
ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ବରିଷ୍ଠ ପ୍ରଫେସର ଦୀନବନ୍ଧୁ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରୁ ଅନେକ ଆଶ୍ଚର୍ଯ୍ୟଜନକ କଥା ଜଣାପଡ଼ିଛି । ଗବେଷକ ଦଳ ଦୈନନ୍ଦିନ ବ୍ୟବହାର ହେଉଥିବା ପନିପରିବାଗୁଡ଼ିକୁ ପରୀକ୍ଷା କରି ଦେଖିଥିଲେ ଯେ ସେଥିରେ ଥିବା ବିଷାକ୍ତ ପଦାର୍ଥ ମାତ୍ରାଧିକ ରହିଛି । ପିଆଜରେ ନିକେଲ୍ ମାତ୍ରା ସାଧାରଣ ସ୍ତରଠାରୁ ୬୫ ଗୁଣା ଏବଂ ପାଳଙ୍ଗ ଶାଗରେ ୯୭ ଗୁଣା ଅଧିକ ରହିଥିବା ରେକର୍ଡ କରାଯାଇଛି । ସେହିପରି ଧଳା ମୂଳାରେ କ୍ରୋମିୟମ୍ ୧୧ ଗୁଣା, ପାଳଙ୍ଗରେ ୧୨ ଗୁଣା ଓ ସୋରିଷ ଶାଗରେ ୨୨ ଗୁଣା ଅଧିକ ଥିବା ଦେଖିବାକୁ ମିଳିଛି । ଲାଲ୍ ମୂଳା, ଧନିଆ ପତ୍ର ଏବଂ ମେଥିରେ ମଧ୍ୟ ବିପଜ୍ଜନକ ମାତ୍ରାରେ ମଲିବଡେନମ୍, ଜିଙ୍କ୍ ଓ କାଡମିୟମ୍ ଠାବ ହୋଇଛି, ଯାହାକି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ଦ୍ୱାରା ନିର୍ଦ୍ଧାରିତ ନିରାପଦ ମାତ୍ରାଠାରୁ ଢେର୍ ଅଧିକ ।
ପ୍ରଫେସର ଦୀନବନ୍ଧୁ ସାହୁ ଏବଂ ତାଙ୍କ ଟିମ୍ (ଧର୍ମେନ୍ଦ୍ର କୁମାର, ସଂଯୁକ୍ତା ସାହୁ ଓ ଶିବଙ୍କର ଅଗ୍ରୱାଲ) ସତର୍କ କରାଇ ଦେଇଛନ୍ତି ଯେ ଏହି ବିଷାକ୍ତ ପରିବା ଖାଇବା ଦ୍ୱାରା ଜନସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ। ଏହି ଭାରୀ ଧାତୁ ମଣିଷ ଶରୀରରେ ପ୍ରବେଶ କରି ଟୋଟାଲ୍ କାର୍ସିନୋଜେନିକ୍ ରିସ୍କ ବା କ୍ୟାନସର ହେବାର ଆଶଙ୍କାକୁ ବହୁଗୁଣିତ କରିଦେଉଛି। ବିଶେଷ କରି ଲାଲ୍ ମୂଳା, ଧନିଆ ପତ୍ର ଏବଂ ପାଳଙ୍ଗରେ ଏହି ବିପଦ ସର୍ବାଧିକ ରହିଛି ।
ଏଭଳି ସ୍ଥିତିର ମୁକାବିଲା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ଯେ, ପ୍ରଦୂଷିତ ଅଞ୍ଚଳରେ ଚାଷୀମାନେ ଅଧିକ ଧାତୁ ଶୋଷଣ କରୁଥିବା ଫସଲ ବଦଳରେ କମ୍ ପ୍ରଭାବିତ ହେଉଥିବା ବିକଳ୍ପ ଫସଲ ଚାଷ କରିବା ଉଚିତ୍ ।

