Latest Odisha News

BREAKING NEWS

ରାଜ୍ୟରେ ମହିଳା ଅସୁରକ୍ଷିତ, ନିରବ କାହିଁକି ସରକାର? ନବୀନଙ୍କ ନିର୍ଦ୍ଦେଶରେ କପିଳାସ ଯିବ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

କପିଳାସ: ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ନିକଟରେ ଜଣେ ଯୁବତୀ ଏବଂ ଯୁବକଙ୍କୁ ଅସଦାଚରଣ ତଥା ଆକ୍ରମଣ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ଆଣି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା ଦାବି କରିଛି ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ ।

ଏହି ସମ୍ବେଦନଶୀଳ ଘଟଣାର ପ୍ରକୃତ ତଥ୍ୟ ଅନୁସନ୍ଧାନ କରିବା ପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ୧୦ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି । ଦଳ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ଏହି ଟିମ୍‌ରେ ଦୁଇ ଜଣ ମହିଳା ବିଧାୟିକା ମନୋରମା ମହାନ୍ତି ଏବଂ ସୁଜାତା ସାହୁ ମଧ୍ୟ ସାମିଲ ଅଛନ୍ତି । ଏହି ପ୍ରତିନିଧିମଣ୍ଡଳୀ ଖୁବ୍‌ଶୀଘ୍ର କପିଳାସ ଗସ୍ତ କରି ଘଟଣାର ଟିକିନିଖି ଅନୁଧ୍ୟାନ କରିବା ସହ ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କୁ ଭେଟି ଏକ ବିସ୍ତୃତ ଦାବିପତ୍ର ପ୍ରଦାନ କରିବେ । ରାଜ୍ୟର ପ୍ରମୁଖ ତୀର୍ଥସ୍ଥାନ ତଥା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ମହିଳା ଏବଂ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ବିଜେଡି ଗଭୀର ଉବେଗ ପ୍ରକାଶ କରିଛି । ବିଶେଷକରି ଯୁବବର୍ଗ ଏବଂ ମହିଳାମାନେ ଯେପରି ଭୟମୁକ୍ତ ହୋଇ ରାଜ୍ୟର ବିଭିନ୍ନ ସ୍ଥାନ ବୁଲିପାରିବେ, ସେଥିପାଇଁ ତୁରନ୍ତ କଡ଼ା ପୋଲିସିଂ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦଳ ଦାବି କରିଛି ।

ବୁଧବାର ଦିନ ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏବଂ ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ମିନତୀ ବେହେରା ରାଜ୍ୟ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ନୂତନ ସରକାର ଶାସନକୁ ଆସିବା ଦିନଠାରୁ ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ବିହାରରେ ନିକଟରେ ଜଣେ ମହିଳାଙ୍କୁ ଅସଦାଚରଣ ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ, ଏହାର ଠିକ୍ ଗୋଟିଏ ଦିନ ପରେ ଓଡ଼ିଶାରେ ଏଭଳି ଘଟଣା ଘଟିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଚିତ୍ରକୁ ପଦାରେ ପକାଇଛି ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୮ ତାରିଖରେ ସବୁଜ ବନାନୀ ଘେରା କପିଳାସ ପାହାଡ଼ ରାସ୍ତାର ଏକ ନିଛାଟିଆ ଜାଗାରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ଏକ ବାଇକ୍‌ରେ ଯାଉଥିବା ପର୍ଯ୍ୟଟକ ଯୁଗଳଙ୍କ ବାଟ ଓଗାଳି କିଛି ଦୁର୍ବୃତ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଯୁବତୀଙ୍କ ସହ ଅସଦାଚରଣ କରିଥିଲେ । ସହାୟତା ପାଇଁ ଯୁବତୀ ଜଣକ ଚିତ୍କାର କରୁଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତତ୍ପରତା ଦେଖାଇ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ସୁଦ୍ଧା ଆଇଟି ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଛି ।

Leave A Reply

Your email address will not be published.