ନୂଆଦିଲ୍ଲୀ: ମୁମ୍ବାଇରେ ଆୟୋଜିତ ହୋଇଯାଇଛି SBI ବ୍ୟାଙ୍କିଂ ଏବଂ ଅର୍ଥନୀତି ସମ୍ମିଳନୀ। ଏହି ସମ୍ମିଳନୀ ବହୁ ବଡ଼ ବଡ଼ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ଯୋଗ ଦେଇ ସମ୍ବୋଧିତ କରିଛନ୍ତି। ଆଉ ଭାରରତ ଅର୍ଥନୀତିକୁ ନେଇ ବଡ଼ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଭାରତର ଅର୍ଥନୀତି କରୋନାଭାଇରସ୍ ମହାମାରୀଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ପର୍ଯ୍ୟନ୍ତ ଅନେକ ପ୍ରମୁଖ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଛି, କିନ୍ତୁ ଏହା ସତ୍ତ୍ୱେ, ଆମକୁ ସତର୍କ ରହିବାକୁ ପଡିବ। ଆମର ଦୃଢ଼ ମାକ୍ରୋଇକୋନୋମିକ୍ ଆଧାର ସତ୍ତ୍ୱେ ଉପୁଜିପାରୁଥିବା ବିପଦ ପ୍ରତି ଆମକୁ ସତର୍କ ରହିବାକୁ ପଡିବ।
ସେ କହିଛନ୍ତି ଯେ ଭାରତ ସାମଗ୍ରିକ ଆର୍ଥିକ ସ୍ଥିରତା ଏବଂ ନିରନ୍ତର ଅଭିବୃଦ୍ଧି ଅନୁଭବ କରୁଥିବା ପରି ମନେହୁଏ, କିନ୍ତୁ ଦେଶ ବିଶ୍ୱ ପରିସ୍ଥିତି ଉପରେ ନିର୍ଭର କରିପାରିବ ନାହିଁ ଏବଂ ଆଗକୁ ଆସୁଥିବା ପ୍ରମୁଖ ବିପଦ ପ୍ରତି ସତର୍କ ରହିବାକୁ ପଡିବ। ସେ ଆହୁରି କହିଛନ୍ତି, “ଆମକୁ ସମ୍ମୁଖୀନ ହେଉଥିବା ବିପଦ ବିଷୟରେ ସଚେତନ ରହିବା ଆବଶ୍ୟକ, ବିଶେଷକରି ବିଶ୍ୱ ବିକାଶରୁ। ମେଣ୍ଟଗୁଡ଼ିକ ଭାଙ୍ଗିଯାଉଛି, ଯୋଗାଣ ଶୃଙ୍ଖଳକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି, ପୁଞ୍ଜି ପ୍ରବାହ ଯେକୌଣସି ସମୟରେ ବନ୍ଦ ହୋଇପାରେ କିମ୍ବା ପୁନର୍ବାର ଆରମ୍ଭ ହୋଇପାରେ, ଏବଂ ବାଣିଜ୍ୟ ପ୍ରତିବନ୍ଧକ ପୁଣି ଥରେ ବୃଦ୍ଧି ପାଉଛି। ଆମେ ଅନୁକୂଳ ପରିସ୍ଥିତି ଉପରେ ନିର୍ଭର କରିପାରିବୁ ନାହିଁ।”
ଏସବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଭାଷଣ ଦେଇ ସେ ଭାରତରେ ଅଧିକ ଏବଂ ପ୍ରତିଯୋଗିତାମୂଳକ ଭାବେ ଉତ୍ପାଦନ ବଢ଼ାଇବାର ଆବଶ୍ୟକତା ଉପରେ ମଧ୍ୟ ଜୋର ଦେଇଥିଲେ। ସେ କହିଥିଲେ, ଆମର ବାଣିଜ୍ୟିକ ନିଅଣ୍ଟ ଯଥେଷ୍ଟ ଅଧିକ। ତାଙ୍କ ମତରେ ଏହି ଯାତ୍ରା ‘ମେକ ଇନ ଇଣ୍ଡିଆ’ରୁ ଆରମ୍ଭ ହୋଇ ‘ଡିଜାଇନ ଇନ ଇଣ୍ଡିଆ’, ‘ଇନୋଭେଟ ଇନ ଇଣ୍ଡିଆ’ ଏବଂ ପରେ ‘ଲିଡ ଫ୍ରମ ଇଣ୍ଡିଆ’ ପର୍ଯ୍ୟନ୍ତ ଯିବା ଆବଶ୍ୟକ।
ବର୍ତ୍ତମାନ ସମୟରେ ସପ୍ଲାଏ ଚେନ୍କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ବିଶ୍ୱସ୍ତରରେ ମେଣ୍ଟଗୁଡ଼ିକ ଭାଙ୍ଗିଯାଉଛି ଏବଂ ବିଭିନ୍ନ ଦେଶ ସପ୍ଲାଏ ଚେନ୍କୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହା ଭାରତ ପାଇଁ ବାଣିଜ୍ୟିକ ଅନିଶ୍ଚିତତାକୁ ବଢ଼ାଇଛି। ସାରା ବିଶ୍ୱରେ ଟାରିଫ ସହିତ ନନ-ଟାରିଫ ବାଣିଜ୍ୟିକ ବାଧା ମଧ୍ୟ ପୁଣି ବଢ଼ିବାରେ ଲାଗିଛି। ଏହା ଭାରତୀୟ ରପ୍ତାନି ପାଇଁ ବିଶ୍ୱସ୍ତରୀୟ ସମର୍ଥନକୁ କଠିନ କରିଦେଇଛି।
ପୁଞ୍ଜି ପ୍ରବାହରେ ମଧ୍ୟ ଅନିଶ୍ଚିତତା ରହିଛି। ପ୍ରଧାନ ସଚିବ ପି.କେ. ମିଶ୍ରା ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ବିଦେଶୀ ପୁଞ୍ଜି ପ୍ରବାହରେ ମଧ୍ୟ ବେଶ ଅସ୍ଥିରତା ଦେଖାଦେଇଛି। ଏହା ଯେକୌଣସି ସମୟରେ ବନ୍ଦ କିମ୍ବା ଆରମ୍ଭ ହୋଇପାରେ। ଏହା ଦେଶର ଆର୍ଥିକ କାରବାରର ସନ୍ତୁଳନକୁ ପ୍ରଭାବିତ କରିପାରେ। ଫଳରେ ଏହାର ପ୍ରଭାବ ଅର୍ଥନୀତି ସହିତ ମୁଦ୍ରା ଉପରେ ମଧ୍ୟ ପଡ଼ିପାରେ। କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖୁଛନ୍ତି ପି.କେ. ମିଶ୍ରା। ସେ କହିଛନ୍ତି ଯେ, ଏଆଇର ପ୍ରକୃତ ପ୍ରଭାବ କ’ଣ ହେବ, ତାହା ଏବେ ସମ୍ପୂର୍ଣ୍ଣ ଭାବେ ଜଣାନାହିଁ। କିନ୍ତୁ ଏହା ଯୋଗୁ ହୋଇପାରୁଥିବା ଯେକୌଣସି ପରିବର୍ତ୍ତନ ପାଇଁ ଭାରତକୁ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ।

