ସୁନ୍ଦରଗଡ଼:ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୧୨ରେ ପହଞ୍ଚିଛି । ଜିଲ୍ଲାରେ ଏଯାଏଁ ୬ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି । ସେଥିରୁ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି ।
ଯଦିଓ ଏହି ରୋଗରେ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ, କିନ୍ତୁ ପ୍ରତ୍ୟେକ ଦିନ ରୋଗୀ ସଂଖ୍ୟା ବଢୁଥିବାରୁ ଚିନ୍ତା ବଢ଼ିଛି । ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତି ଦିନ ୧୦୦ରୁ ୨୦୦ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଉଛି ।
ଗାଁ ଗାଁରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ମେଡିକାଲ ଟିମ୍ ଲୋକଙ୍କୁ ସଚେତନ କରିବା ସହ ଜଙ୍ଗଲ ଓ ବିଲକୁ ଗଲେ ପୂରା ପୋଷାକ ପିନ୍ଧି ସତର୍କ ରହିବା ଏବଂ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଆସିବା ପାଇଁ ପରାମର୍ଶ ଦେଉଛନ୍ତି । ଏଥିପାଇଁ ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ସ୍କ୍ରବ୍ ଟାଇଫସ୍ କଣ?
ସ୍କ୍ରବ୍ ଟାଇଫସ୍ ଏକ ଜୀବାଣୁ ଜନିତ ରୋଗ । ଏହି ରୋଗୀଙ୍କୁ ତୁରନ୍ତ ନିରାକରଣ ଏବଂ ଚିକିତ୍ସା କରା ନଗଲେ ଏହା ଗୁରୁତର ହୋଇପାରେ । ତେବେ କେତେକ କ୍ଷେତ୍ରରେ ଜୀବନ ଯିବାର ସମ୍ଭାବନା ମଧ୍ୟ ରହିଥାଏ । ମୌସୁମୀ ସମୟରେ ଏହାର ଲକ୍ଷଣ ମ୍ୟାଲେରିଆ, ଡେଙ୍ଗୁ ସହ ପ୍ରାୟ ସମାନ ହୋଇଥାଏ । ଗ୍ରାମ କିମ୍ବା ଜଙ୍ଗଲ ଅଞ୍ଚଳରେ ରହୁଥିବା ଅଧିକାଂଶ ଲୋକଙ୍କୁ ସ୍କ୍ରବ୍ ଟାଇଫସ୍ ହେବାର ଆଶଙ୍କା ଅଧିକ ରହିଥାଏ ।ମୁଖ୍ୟ ଲକ୍ଷଣ ଗୁଡିକ ହେଲା:- ଜ୍ୱର ଏବଂ ପ୍ରବଳ ମୁଣ୍ଡବିନ୍ଧା,ଶରୀରରେ ମାଂସପେଶୀ ଯନ୍ତ୍ରଣା,କୀଟ କାମୁଡ଼ିଥିବା ସ୍ଥାନରେ କଳା କାଳା ଦାଗ ବା ‘ଏସ୍କାର’ (Eschar) ସୃଷ୍ଟି ହେବା ।

