Latest Odisha News

BREAKING NEWS

Landslide In Kalinga Ghat:କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ;ଧସିଲା ନବନିର୍ମିତ ଗାର୍ଡ ୱାଲ୍ …ଏପଟେ ରାୟଗଡ଼ା ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସୁଛି

ଭୁବନେଶ୍ୱର:ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏପଟେ ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ହୋଇଛି । କଳିଙ୍ଗା ଘାଟିରେ ନବନିର୍ମିତ ଗାର୍ଡ ୱାଲ୍ ଧସିଛି । ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ବର୍ଷା ଛାଡ଼ିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

କଳିଙ୍ଗା ଘାଟିର ଅନ୍ଧାରିକୋଟ ଉପରମୁଣ୍ଡରେ ଗାର୍ଡୱାଲ୍ ନିର୍ମାଣ କାମ ଚାଲିଥିଲା । ତେବେ ପାହାଡ଼ ଉପରେ ଲଗାଣ ବର୍ଷା ହେବାରୁ ପ୍ରବଳ ବେଗରେ ପାଣି ତଳକୁ ଆସିଥିଲା। ଏହାର ପ୍ରଭାବରେ ନିର୍ମାଣଧୀନ ଗାର୍ଡୱାଲ୍ ଭୁଶୁଡ଼ିବା ସହ ଧୋଇ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗାର୍ଡୱାଲ୍ ନିର୍ମାଣ କାମର ସ୍ଥିତି ଏବଂ ବର୍ଷା ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀମାନେ ଯାଞ୍ଚ କରୁଛନ୍ତି ।

ଏହି କାର୍ଯ୍ୟ ଆଜିକୁ ମିଶେଇ ତିନି ଥର ଭୁଶୁଡ଼ିଲାଣି। ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ରାଜପଥ ୧୫୭ର କଳିଙ୍ଗା ଅନ୍ଧାରକୋଟ ସଙ୍କୁଚିତ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଟେଣ୍ଡର ହୋଇ କାର୍ଯ୍ୟ ଅବଧି ସାରି ପୁଣି ଇଓଟି ବଳରେ କାର୍ଯ୍ୟ ଚାଲିଥିବାବେଳେ କାର୍ଯ୍ୟ ତିନିଥର ଭୁଶୁଡ଼ିଲାଣି। କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଅନ୍ୟଦେଶ ପର୍ଯ୍ୟନ୍ତ କଳିଙ୍ଗା ଘାଟି ରାସ୍ତା ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଏପଟେ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରି ଅଞ୍ଚଳର ପାହାଡ଼ିଆ ଅଞ୍ଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁହାକୁ ତୁହା ପ୍ରବଳ ବର୍ଷା ଫଳରେ ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ଗୁଡ଼ାରି ବ୍ଲକ ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ସୁକୁଡ଼ୁବାଜୁ ଗାଁକୁ ଯିବା ରାସ୍ତାରେ ଏଭଳି ଅଘଟଣ ଘଟିଛି।

ଏହି ରାସ୍ତାଟି ବଡ଼ କତିଲି, ସାନ କତିଲି, ବଣ୍ଡିଲି, ତାଡ଼ିଲୋଟା ସମେତ ଅନେକ ଗାଁର ଲୋକଙ୍କ ପାଇଁ ଯାତାୟାତର ଏକମାତ୍ର ମୁଖ୍ୟ ମାଧ୍ୟମ। ରାସ୍ତା ଅବରୋଧ ହେବା ଫଳରେ ଏହି ସବୁ ଗାଁର ଲୋକେ ଦୈନନ୍ଦିନ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରବଳ ବର୍ଷା ହେଲେ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ଏଠାରେ ନିୟମିତ ଘଟଣା ପାଲଟିଛି।

ସେହିପରି ଲଗାଣ ବର୍ଷା ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଓ ଖୋର୍ଦ୍ଧାଜିଲ୍ଲା ସୀମାରେ ଥିବା ବଡ଼ଘାଟି ଅଞ୍ଚଳରେ ପାହାଡ଼ରୁ ଏକ ବିରାଟକାୟ ପଥର ଖସି ରାସ୍ତା ଉପରେ ପଡ଼ିଥିଲା। ହଠାତ୍ ପଥର ଖସିବା ଯୋଗୁଁ ବ୍ରହ୍ମପୁର-ଭୁବନେଶ୍ୱର ମଧ୍ୟରେ ଯାତାୟାତ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।

ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କର୍ମଚାରୀମାନେ ବଡ଼ଘାଟିରେ ପହଞ୍ଚି କ୍ରେନ୍‌ ସହାୟତାରେ ରାସ୍ତା ଉପରେ ପଡ଼ିଥିବା ବିରାଟ ପଥରକୁ ହଟାଇବା ସହ ସଫେଇ କାର୍ଯ୍ୟ କରିଥିଲେ। ରାସ୍ତା ସଫା ହେବା ପରେ ବର୍ତ୍ତମାନ ଏନ୍‌ଏଚ୍‌-୧୬ରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ତେବେ ବର୍ଷା ଜାରି ରହିଥିବାରୁ ବଡ଼ଘାଟି ଦେଇ ଯାତାୟାତ କରୁଥିବା ଯାତ୍ରୀ ଓ ଚାଳକମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏଥିସହ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ୪ଟି ପୋଲ ଉପରେ ୨ ରୁ ୩ ଫୁଟ୍‌ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି । ସେହି ପୋଲ ଗୁଡିକ ହେଲା ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି-୯୬ ଏବଂ ଏମଭି -୯୦ ନମ୍ବର୍ ପୋଲ । ଫଳରେ ଯାତାୟତ ଏକ ପ୍ରକାର ଠପ୍‌ ହୋଇପଡିଛି । ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.