Latest Odisha News

BREAKING NEWS

Bullet Train: ୩୨୦ କିମି ବେଗରେ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍‌, ଟ୍ରାକ୍ ବଦଳାଇଲେ ବି ଲାଗିବନି ଝଟକା! ଜାଣନ୍ତୁ କେମିତି ହେବ ଏହି ଟେକ୍ନୋଲୋଜି…

ନୂଆଦିଲ୍ଲୀ: ଭାରତର ବୁଲେଟ୍ ଟ୍ରେନ୍‌କୁ ନେଇ ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରରେ ଦୌଡ଼ିବାକୁ ଥିବା ଏହି ବୁଲେଟ୍ ଟ୍ରେନ୍‌ କେବଳ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗ ପାଇଁ ନୁହେଁ, ଏହାର ଟ୍ରାକ୍ ବଦଳାଇବା ପ୍ରଣାଳୀ ମଧ୍ୟ ବେଶ୍‌ ଖାସ୍‌ ହେବ। ଏତେ ଅଧିକ ବେଗରେ ଚାଲୁଥିବା ସମୟରେ ଟ୍ରେନ୍‌ ଗୋଟିଏ ଟ୍ରାକ୍‌ରୁ ଅନ୍ୟ ଟ୍ରାକ୍‌କୁ ଯିବାବେଳେ ଯାତ୍ରୀଙ୍କୁ ସାଧାରଣ ଟ୍ରେନ୍‌ ଭଳି ହଠାତ୍‌ ଝଟକା କିମ୍ବା ଅଧିକ କମ୍ପନ ଅନୁଭବ ହେବନାହିଁ।

ସାଧାରଣ ରେଳ ଟ୍ରାକ୍‌ରେ ଯେଉଁଠି ଦୁଇଟି ରେଳ ଲାଇନ୍‌ ପରସ୍ପରକୁ କାଟେ, ସେଠାରେ ଛୋଟ ଫାଙ୍କ ରହିଥାଏ। ଟ୍ରେନ୍‌ର ଚକ ସେହି ଅଂଶ ଦେଇ ଯିବାବେଳେ ଝଟକା ଓ କମ୍ପନ ହୋଇପାରେ। କିନ୍ତୁ ୩୨୦ କିମି ବେଗରେ ଚାଲୁଥିବା ବୁଲେଟ୍ ଟ୍ରେନ୍‌ ପାଇଁ ଏହା ବଡ଼ ସମସ୍ୟା ହୋଇପାରେ। ତେଣୁ ଏଠାରେ ଆଧୁନିକ ‘ମୁଭେବଲ୍ କ୍ରସିଂ’ ଏବଂ ‘କ୍ୟାଣ୍ଟେଡ୍ ଟର୍ନଆଉଟ୍’ ଭଳି ପ୍ରଯୁକ୍ତି ବ୍ୟବହାର କରାଯିବ।

‘ମୁଭେବଲ୍ କ୍ରସିଂ’କୁ ‘ସ୍ୱିଙ୍ଗ୍-ନୋଜ୍ କ୍ରସିଂ’ ମଧ୍ୟ କୁହାଯାଏ। ଏଥିରେ ଟ୍ରାକ୍‌ର ଆଗ ଅଂଶକୁ ପଏଣ୍ଟ୍ ମେସିନ୍‌ ସାହାଯ୍ୟରେ ଠିକ୍‌ ସ୍ଥାନକୁ ଅଣାଯିବ। ଫଳରେ ଟ୍ରେନ୍‌ର ଚକ ଏକ ଖୋଲା ଫାଙ୍କ ଉପରେ ଯିବ ନାହିଁ, ବରଂ ଲଗାତାର ରେଳ ପୃଷ୍ଠ ଉପରେ ଆଗକୁ ବଢ଼ିବ। ଏହାଦ୍ୱାରା ଝଟକା, କମ୍ପନ ଏବଂ ଟ୍ରାକ୍‌ ଉପରେ ପଡ଼ୁଥିବା ଚାପ କମାଇବାରେ ସହାୟତା ମିଳିବ।

ସେହିପରି ‘କ୍ୟାଣ୍ଟେଡ୍ ଟର୍ନଆଉଟ୍’ରେ ଟ୍ରାକ୍‌କୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଢଳାଯିବ। ବାହାର ପଟର ରେଳକୁ ଭିତର ପଟର ରେଳଠାରୁ ଟିକେ ଉଚ୍ଚ ରଖାଯିବ। ଏହା ଟ୍ରାକ୍‌ ବଦଳାଇବା ସମୟରେ ସୃଷ୍ଟି ହେଉଥିବା ପାର୍ଶ୍ୱ ଚାପକୁ ସନ୍ତୁଳିତ କରିବ ଏବଂ ଯାତ୍ରୀଙ୍କୁ ହଠାତ୍‌ ପାର୍ଶ୍ୱକୁ ଟାଣିବା କିମ୍ବା ଅଧିକ କମ୍ପନ ଅନୁଭବ ହେବା କମିବ।

ଏହା ସହିତ ଆଧୁନିକ ପଏଣ୍ଟ୍ ମେସିନ୍‌, ଇଣ୍ଟରଲକିଂ ଏବଂ ସ୍ୱୟଂଚାଳିତ ରେଳ ଚିହ୍ନଟ ପ୍ରଣାଳୀ ମଧ୍ୟ ଟ୍ରାକ୍‌ର ନିରାପତ୍ତା ଉପରେ ନଜର ରଖିବ।

ମୁମ୍ବାଇ-ଅହମଦାବାଦ ହାଇସ୍ପିଡ୍ ରେଲ୍‌ କରିଡର ପ୍ରାୟ ୫୦୮ କିଲୋମିଟର ଲମ୍ବା ହେବ। ଏଥିରେ ୧୨ଟି ଷ୍ଟେସନ୍‌ ପ୍ରସ୍ତାବିତ ରହିଛି। ମୁମ୍ବାଇ ନିକଟରେ ପ୍ରାୟ ୨୧ କିଲୋମିଟର ଭୂତଳ ରେଳପଥ ମଧ୍ୟ ରହିବ। ଏହା ମଧ୍ୟରେ ଠାଣେ କ୍ରିକ୍‌ ତଳେ ଭାରତର ପ୍ରଥମ ଅଣ୍ଡରସି ରେଳ ଟନେଲ୍‌ ସାମିଲ ହେବ।

Leave A Reply

Your email address will not be published.