Latest Odisha News

BREAKING NEWS

Fake Baba Gang Arrested: ତିନି ଭଣ୍ଡ ବାବା ଗିରଫ;ସୁନା ଅଳଙ୍କାର, ଟଙ୍କା ଜବତ

ରାଉରକେଲା:ଏକ ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ରାଉରକେଲା ପୋଲିସ। ମହିଳାଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସେକ୍ଟର-୭ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମହିଳାଙ୍କଠାରୁ ଲୁଟ କରାଯାଇଥିବା ସୁନା ଓ ଟଙ୍କା ଜବତ କରାଯାଇଛି। ଏହି ଗ୍ୟାଙ୍ଗର ଅନ୍ୟ କେହି ସଦସ୍ୟ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ କରୁଛି ।

ପୋଲିସର ସୂଚନାନୁସାରେ, ଗିରଫ ଅଭିଯୁକ୍ତମାନେ ସାଧୁ-ସନ୍ଥଙ୍କ ବେଶ ଧାରଣ କରି ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ। ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ପାରିବାରିକ ସମସ୍ୟା, ଭବିଷ୍ୟତ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହୁଥିଲେ। ଏହା ଦ୍ୱାରା ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଥିଲେ। ଖାସ୍ କରି ମହିଳାମାନଙ୍କୁ ଟାର୍ଗେଟ କରି ଭବିଷ୍ୟତରେ ଅସୁବିଧା ଆସିବା କିମ୍ବା ପାରିବାରିକ ସମସ୍ୟା ହେବା ଭଳି କଥା କହୁଥିଲେ। ଏହାପରେ ସମସ୍ୟା ଦୂର କରିବାର ଉପାୟ କହି ସୁନା ଅଳଙ୍କାର ଓ ଟଙ୍କା ନେଉଥିବା ଅଭିଯୋଗ ରହିଛି।

ସେକ୍ଟର-୭ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୁରାକ ପାଇଥିଲା। ଏହାପରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ୩ ଜଣଙ୍କୁ କାବୁ କରିଥିଲା।

Leave A Reply

Your email address will not be published.