ଭୁବନେଶ୍ୱର: ଓଡ଼ିଶା ଉପରେ ଅବପାତର ପ୍ରଭାବ। ଆହୁରି ୧୨ ଘଣ୍ଟା ନିର୍ଦ୍ଦୁମ ଛେଚିବ। ବେହାଲ ହୋଇଛି ଦକ୍ଷିଣ ଓଡ଼ିଶା। ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବି ତୁହାକୁ ତୁହା ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବର୍ଷାର ସର୍ବାଧିକ ପ୍ରକୋପ ଆହୁରି ଦିନଟିଏ ରହିପାରେ। ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ବିଗତ ୬ ଘଣ୍ଟା ମଧ୍ୟରେ ଏହି ଗଭୀର ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ରହିଛି ।
ଭବାନୀପାଟଣାଠାରୁ ପ୍ରାୟ ୬୦ କି.ମି. ପଶ୍ଚିମ-ଦକ୍ଷିଣପଶ୍ଚିମରେ ଓ ଟିଟିଲାଗଡ଼ଠାରୁ ପ୍ରାୟ ୯୦ କି.ମି. ଦକ୍ଷିଣପଶ୍ଚିମରେ ରହିଛି । ଏହା କ୍ରମାଗତ ଭାବେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଆଗାମୀ ୧୨ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ପଡିବ। ପାଣିପାଗ ବିଭାଗ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି। ଗଭୀର ଅବପାତର ପ୍ରଭାବ କମିବା ଆରମ୍ଭ କରିଥିଲେ ମଧ୍ୟ ଆଜି ଓଡ଼ିଶାରୁ ବର୍ଷା ସମ୍ପୂର୍ଣ୍ଣ ଛାଡ଼ିବ ନାହିଁ। ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଜିଲ୍ଲାକୁ ସକାଳ ସାଢ଼େ ୮ଟା ଯାଏ ରେଡ୍ ୱାର୍ଣ୍ଣିଂ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ଗୁରୁବାର ତୁଳନାରେ ଆଜି ବର୍ଷାର ପ୍ରଭାବ ଧୀରେ ଧୀରେ କମିବା ସମ୍ଭାବନା ରହିଛି । ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି ।
ସେହିପରି ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି। ସକାଳ ସାଢ଼େ ୮ଟା ପରେ ବର୍ଷାର ତୀବ୍ରତା ଆହୁରି କମିବାର ସମ୍ଭାବନା ରହିଛି । ତଥାପି ରାଜ୍ୟର ଅନେକ ସ୍ଥାନରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ଜାରି ରହିପାରେ । ନବରଙ୍ଗପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରର ସିଷ୍ଟମ ସ୍ଥଳଭାଗକୁ ପ୍ରବେଶ କରିବା ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଦୁର୍ବଳ ହେଉଛି । ତଥାପି ଏହାର ପ୍ରଭାବରେ ଓଡ଼ିଶା ଉପରେ ପ୍ରଚୁର ଜଳୀୟବାଷ୍ପ ରହୁଥିବାରୁ ଆଜି ବର୍ଷା ଜାରି ରହିବ। ଭୁବନେଶ୍ୱର ଓ କଟକରେ ଶୁକ୍ରବାର ଆକାଶ ଆଂଶିକ ମେଘୁଆ ରହିବା ସହ ଗୋଟିଏ କିମ୍ବା ଦୁଇଟି ପର୍ଯ୍ୟାୟରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ରାଜଧାନୀରେ ତାପମାତ୍ରା ପ୍ରାୟ ୨୩ରୁ ୩୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ। ବର୍ଷାର ଅଧିକ ପ୍ରଭାବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଉପରେ ରହିବ ।

