ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା। ଭୁଶୁଡ଼ିଲା ଘାଟି, ରାସ୍ତାରେ ପଥର ଆଉ ଗଛ। ଆଜି ୬ ଜିଲ୍ଲାରେ ସ୍କୁଲ ଏବଂ ଅଙ୍ଗନବାଡି ଛୁଟି ଘୋଷଣା। ଲଗାଣ ବର୍ଷା ଯୋଗୁଁ ୬ ଜିଲ୍ଲାରେ ଦିନକ ପାଇଁ ବଢିଲା ସ୍କୁଲ ଛୁଟି ଅବଧି। ବିପର୍ଯ୍ୟସ୍ତ ଜନଜୀବନ। ବିଭିନ୍ନ ସ୍ଥାନରେ ଯାତାୟତ ଠପ୍। ତେବେ ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର, କଳାହାଣ୍ଡି, ଗଜପତି, କୋରାପୁଟ, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଦିନକ ପାଇଁ ସ୍କୁଲ୍ ଛୁଟି ଅବଧି ବଢିଲା।
ଗଭୀର ଅବପାତ ଯୋଗୁଁ ଲାଗିରହିଛି ବର୍ଷା। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାର ୬ଟି ଜିଲ୍ଲାର ସ୍କୁଲ ବନ୍ଦ ଅବଧି ବୃଦ୍ଧି କରିଛନ୍ତି। ଗୁରୁବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ପୂର୍ବରୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାର ଜିଲ୍ଲାପାଳମାନେ ପୂର୍ବରୁ ହିଁ ଦୁଇ ଦିନ ପାଇଁ ସ୍କୁଲ ବନ୍ଦ ଘୋଷଣା କରିସାରିଛନ୍ତି। ଯଦି ପାଣିପାଗରେ ସୁଧାର ନ ଆସେ ତେବେ ସ୍କୁଲ ବନ୍ଦ ଅବଧି ଆହୁରି ବୃଦ୍ଧି କରାଯାଇପାରେ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲଗାଣ ବର୍ଷା ଯୋଗୁଁ ବାରମ୍ବାର ସ୍କୁଲ ବନ୍ଦ ରହୁଥିବାରୁ ଶିକ୍ଷା କ୍ୟାଲେଣ୍ଡର ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଛି। ତଥାପି ଏହି ଶିକ୍ଷାଗତ କ୍ଷତି ଭରଣା କରିବା ପାଇଁ ଆବଶ୍ୟକ ହେଲେ ଅତିରିକ୍ତ କ୍ଲାସ୍ କରାଯିବ। ଅଧିକାରୀମାନେ କହିଛନ୍ତି ଯେ ଦକ୍ଷିଣ ଓଡ଼ିଶାର ଅତିକମରେ ସାତୋଟି ଜିଲ୍ଲା ଏହି ଗଭୀର ଅବପାତ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି।

