Latest Odisha News

BREAKING NEWS

ଉଛୁଳୁଛି ବୈତରଣୀ ଓ ଜଳକା ନଦୀ: ଆଖୁଆପଦା ଏବଂ ମଥାନୀରେ ବିପଦ ସଙ୍କେତ ଟପିଲା ବନ୍ୟା ଜଳ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଏବଂ ଉପରମୁଣ୍ଡରେ ଲଗାତାର ଜଳସ୍ତର ବୃଦ୍ଧି କାରଣରୁ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ପ୍ରବାହିତ ହେଉଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଏବଂ ଜଳକାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଖେଳିଯାଇଛି । କ୍ରମାଗତ ବର୍ଷା ଯୋଗୁଁ ନଦୀର ଜଳ ଧାରଣ କ୍ଷମତା ହ୍ରାସ ପାଇଥିବା ବେଳେ ଗାଁ ଗଣ୍ଡାରେ ଏବେ ପାଣି ପଶିବା ଆରମ୍ଭ କଲାଣି ।

ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ସ୍ଥାନୀୟ ପ୍ରଶାସନର ନିଦ ହଜାଇ ଦେଇଛି । ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଖୁଆପଦା ଆନିକଟ ଠାରେ ବୈତରଣୀର ବନ୍ୟା ଜଳ ବିପଦ ସଙ୍କେତକୁ ଟପି ଯାଇଛି । ଏଠାରେ ନଦୀର ସାଧାରଣ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୧୮.୩୫ ମିଟର ଉପରେ ପ୍ରବାହିତ ହେଉଛି। ଫଳରେ ନଦୀ କୂଳିଆ ଏବଂ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ଘନୀଭୂତ ହୋଇଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷରେ, ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ଜଳକା ନଦୀର ରୁଦ୍ର ରୂପ ଦେଖିବାକୁ ମିଳିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ବହୁଛି । ମଥାନୀ ଠାରେ ଏହି ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ଏବେ ଏହା ୬.୭୬ ମିଟର ଉପରେ ପ୍ରବାହିତ ହେଉଛି, ଯାହାକି ସ୍ଥାନୀୟ ଅଞ୍ଚଳ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି ।

ବନ୍ୟା ଜଳ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ସିଧାସଳଖ ସାଧାରଣ ଜନଜୀବନ ଓ ଚାଷ କାର୍ଯ୍ୟ ଉପରେ ପଡ଼ିଛି। ସରକାରୀ ସୂଚନା ମୁତାବକ, ଜଳକା ନଦୀର ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ବହୁଳ ଭାବରେ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.