ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ବୟାନ ପରେ ଏବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ତିକ୍ତତା ଏକ ଭିନ୍ନ ମୋଡ଼ ନେଇଛି। ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା ରେ ନିଜର ଅଭିଭାଷଣ ବେଳେ ଟ୍ରମ୍ପ ଇରାନକୁ ସମ୍ପୂର୍ଣ୍ଣ ‘ଧ୍ୱଂସ’ କରିଦେବାକୁ ଦେଇଥିବା ଧମକର କଡ଼ା ଏବଂ ମଜାଦାର ଜବାବ ଦେଇଛି ଇରାନ। ଜିମ୍ବାୱେ ସ୍ଥିତ ଇରାନ ଦୂତାବାସ ନିଜର ଅଫିସିଆଲ ‘ଏକ୍ସ’ ଆକାଉଣ୍ଟରେ ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲାକ୍ରିଷ୍ଣାଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଭଗବନ୍ତ କେଶରୀ’ର ଏକ ଆକ୍ସନ ଦୃଶ୍ୟ ସେୟାର କରି ଟ୍ରମ୍ପଙ୍କୁ କଟାକ୍ଷ କରିଛି।
୫୮ ସେକେଣ୍ଡର ଏହି ଭିଡିଓ କ୍ଲିପରେ ବାଲାକ୍ରିଷ୍ଣା ସଶସ୍ତ୍ର ଆକ୍ରମଣକାରୀଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଏକ ମ୍ୟାନହୋଲ ଢାଙ୍କୁଣିକୁ ଢାଲ ଭାବେ ବ୍ୟବହାର କରୁଥିବା ଏବଂ ଗ୍ୟାସ ସିଲିଣ୍ଡର ସାହାଯ୍ୟରେ ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସହ ଇରାନ ଦୂତାବାସ ଲେଖିଛି, ” ଟ୍ରମ୍ପ ଇରାନକୁ ଧ୍ୱଂସ କରିବା କଥା କହୁଛନ୍ତି, କିନ୍ତୁ ସେ ଜାଣିଛନ୍ତି ଯେ ଇରାନ ନିରୁପାୟ କିମ୍ବା ଅସହାୟ ନୁହେଁ। ଆମକୁ ଲାଗୁଛି ସେ ଆଜିକାଲି ହଲିଉଡ ବଦଳରେ ବଲିଉଡ ସିନେମା ଅଧିକ ଦେଖୁଛନ୍ତି।”
ତେବେ ଇରାନ ଦୂତାବାସର ଏହି ପୋଷ୍ଟରେ ଏକ ସାମାନ୍ୟ ଭୁଲ ରହିଯାଇଥିଲା। ‘ଭଗବନ୍ତ କେଶରୀ’ କୌଣସି ବଲିଉଡ ଚଳଚ୍ଚିତ୍ର ନୁହେଁ, ବରଂ ଏହା ଅନିଲ ରାବିପୁଡ଼ିଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍ ତେଲୁଗୁ ଆକ୍ସନ ଫିଲ୍ମ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତୁରନ୍ତ ଏହି ଭୁଲକୁ ଚିହ୍ନଟ କରି କମେଣ୍ଟ କରିବା ଆରମ୍ଭ କରିଥିଲେ।
ଟ୍ରମ୍ପ ନିଜ ଭାଷଣରେ ଇରାନ ସହ ଚୁକ୍ତି କିମ୍ବା ତାକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେବା ବିଷୟରେ କହିଥିଲେ। ଇରାନର ସାମରିକ କର୍ତ୍ତୃପକ୍ଷ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ କେବଳ ଘରୋଇ ପ୍ରଚାର ବୋଲି ଆଖ୍ୟା ଦେଇଛନ୍ତି।
ଇଣ୍ଟରନେଟ୍ ବ୍ୟବହାରକାରୀମାନେ ଏହି ମଜାଦାର ଟ୍ୱିଟକୁ ବହୁ ପରିମାଣରେ ସେୟାର କରୁଛନ୍ତି। ଆଞ୍ଚଳିକ ସିନେମାର ଏହି ଆକ୍ସନ କ୍ଲିପ୍ ବ୍ୟବହାର କରି ଇରାନ ଦେଇଥିବା ଏହି ଅଭିନବ ଜବାବ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ଶିରୋନାମା ପାଲଟିଛି।

