Latest Odisha News

BREAKING NEWS

ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା: କୋରାପୁଟ ଓ ନବରଙ୍ଗପୁର ସବୁଠୁ ଅଧିକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଶେଷ କରି ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ଏହି ଲଗାଣ ବର୍ଷାରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାପକ ଭାବେ ବାଧାପ୍ରାପ୍ତ ହୋଇଛି ।

ସବୁଠାରୁ ଅଧିକ ବର୍ଷା ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିଠାରେ ରେକର୍ଡ କରାଯାଇଛି, ଯେଉଁଠାରେ ୩୯୫.୦ ମିଲିମିଟର ବର୍ଷା ହୋଇଛି । ସେହିପରି ନବରଙ୍ଗପୁରର ନନ୍ଦାହାଣ୍ଡିରେ ୩୪୪.୦ ମିମି ଏବଂ ଝରିଗାଁରେ ୨୪୦.୨ ମିମି ବର୍ଷା ହୋଇଥିବା ସୂଚନା ମିଳିଛି । ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ଜିଲ୍ଲା କୋରାପୁଟରେ ମଧ୍ୟ ବର୍ଷା ନିଜର ଉଗ୍ର ରୂପ ଦେଖାଇଛି । କୋରାପୁଟର ବୋରିଗୁମ୍ମାରେ ୩୦୭.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କୋଟପାଡ଼ରେ ୨୭୨.୦ ମିମି ଏବଂ ସେମିଳିଗୁଡ଼ାରେ ୨୬୭.୦ ମିମି ବର୍ଷା ହୋଇଛି । ଏତେ ମାତ୍ରାରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ କମ୍ ନାହିଁ । କେନ୍ଦ୍ରାପଡ଼ାରେ ୨୧୪.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କଳାହାଣ୍ଡିର ଗୋଲାମୁଣ୍ଡାରେ ୨୦୨.୦ ମିମି ଏବଂ ମାଲକାନଗିରିରେ ୧୬୪.୨ ମିମି ବର୍ଷା ହୋଇଛି । ଲଗାଣ ବର୍ଷା କାରଣରୁ ନଦୀ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.