Latest Odisha News

BREAKING NEWS

Analogue Paneer: ପ୍ରୋଟିନ୍ ନାଁରେ ଖାଉଛନ୍ତି ଆନାଲଗ୍ ପନିର? ସାବଧାନ୍! ଡାକ୍ତର କହିଲେ ନିୟମିତ ଖାଇବା…ନୁହେଁ ସାଧାରଣ ପନିର୍!

ଭୁବନେଶ୍ବର: ପନିରକୁ ପ୍ରୋଟିନ୍ ଭାବି ଖାଉଛନ୍ତି କି? ସାବଧାନ୍! ତା’ହେଲେ ଏହି ଖବର ଆପଣଙ୍କ ପାଇଁ। ଆପଣଙ୍କ ପନିର ଆନାଲଗ୍ ପନିର ହୋଇପାରେ! FSSAIର ଚେତାବନୀ ପରେ ସତର୍କ କରାଇଲେ ଡାକ୍ତର…ଦେଖିବାକୁ ସଂପୂର୍ଣ୍ଣ ପନିର ଭଳି, ଖାଇବାକୁ ବି ପନିର ଭଳି ଲାଗୁଛି, ହେଲେ ତାହା ପ୍ରକୃତରେ କ୍ଷୀରରୁ ତିଆରି ପନିର ନ ହୋଇପାରେ। ଏଭଳି ଉତ୍ପାଦକୁ କୁହାଯାଏ ‘ଆନାଲଗ୍ ପନିର’। ଏହାକୁ ନେଇ ଏବେ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ କଡା ନଜର ରଖିଛନ୍ତି । FSSAI ସେପ୍ଟେମ୍ବର ୨୪ରେ କ୍ଷୀରରୁ ପ୍ରସ୍ତୁତ ନ ହେଉଥିବା ପନିର ବିକ୍ରି ଉପରେ ନିୟମ କଡ଼ା କରିବା ପାଇଁ ଏକ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଛି।

ତେବେ ଆସନ୍ତୁ ଜାଣିବା ଆନାଲଗ୍ ପନିର କ’ଣ? କିପରି ହୁଏ ଏହା ପ୍ରସ୍ତୁତ? ସାଧାରଣ ପନିର କ୍ଷୀରକୁ ଛିଡାଇ ପ୍ରସ୍ତୁତ କରାଯାଏ । କିନ୍ତୁ ଆନାଲଗ୍ ପନିର ବିନା ପ୍ରାଣୀ କିମ୍ବା ପ୍ରାଣୀ କ୍ଷୀରର ବହୁତ କମ୍ ପରିମାଣ ନେଇ ପ୍ରସ୍ତୁତ କରାଯାଏ । ଏଥିରେ କ୍ଷୀରର କିଛି ଅଂଶ ବଦଳରେ ଉତ୍ତିଦଜାତ ଚର୍ବି ବା ଭେଜିଟେବଲ୍ ଫ୍ୟାଟ୍‌, ଷ୍ଟାର୍ଚ୍ଚ କିମ୍ବା ପ୍ଲାଣ୍ଟ ପ୍ରୋଟିନ୍‌ ବ୍ୟବହାର ହୋଇପାରେ। ତେଣୁ ଦେଖିବାକୁ ସମାନ ହେଲେ ମଧ୍ୟ ଦୁଇଟିର ପୋଷଣ ମୂଲ୍ୟ ଏକ ନୁହେଁ। FSSAI ମଧ୍ୟ କହିଛି, କ୍ଷୀରର ମୁଖ୍ୟ ଉପାଦାନ ଭେଜିଟେବଲ୍ ତେଲ, ଫ୍ୟାଟ୍‌ କିମ୍ବା ପ୍ରୋଟିନ୍‌ରେ ବଦଳିଲେ ତାହା ଡେୟରୀ ଆନାଲଗ୍ ଭାବେ ଧରାଯାଏ।

ତେବେ ଏହାକୁ ଖାଇଲେ କ’ଣ ସଙ୍ଗେସଙ୍ଗେ ଅସୁସ୍ଥ ହୋଇଯିବେ? କ’ଣ ଏହା ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ? ଏମିତି କହିବା ଠିକ୍‌ ନୁହେଁ। କାରଣ ଡାକ୍ତରଙ୍କ କହିବା ଅନୁସାରେ, ଏଭଳି ପନିରରେ ମୁଖ୍ୟ ସମସ୍ୟା ହେଉଛି ପୋଷଣ। ଯେଉଁମାନେ ପନିରକୁ ପ୍ରୋଟିନ୍‌ର ଉତ୍ସ ଭାବେ ଖାଆନ୍ତି, ସେମାନେ ନିୟମିତ ଭାବେ ଡେୟରୀ ପନିର ବଦଳରେ ଆନାଲଗ୍ ପନିର ଖାଇଲେ ଆଶା କରୁଥିବା ପରି ଦୁଗ୍ଧଜାତ ପ୍ରୋଟିନ୍‌ ସେମାନେ ପାଇପାରିବେ ନାହିଁ । ଏଥିସହିତ  ଯେହେତୁ ଏଥିରେ ଷ୍ଟାର୍ଚ୍ଚ କିମ୍ବା ଭେଜିଟେବଲ୍ ଫ୍ୟାଟ୍‌ ଅଧିକ ଥାଇପାରେ, ତେଣୁ ନିୟମିତ ଏହାକୁ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ତେବେ ସବୁ ଆନାଲଗ୍ ପନିର ହାନିକାରକ, ତାହା ନୁହେଁ, ଏଥିରେ ଲେଖା ଥିବା ପରିମାଣ ଏବଂ ପ୍ରକାର ଏହାକୁ ଖରାପ କରିପାରେ ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ଲାଣ୍ଟ-ବେସ୍ଡ ପନିର ବା ଉତ୍ତିଦଜାତ ପନିର ଓ ଆନାଲଗ୍ ପନିର ଏକା ଜିନିଷ ନୁହେଁ। ସୋୟା, ଚାରୁମଗଜ, ନଡିଆ, କାଜୁ ଏବଂ ବାଦାମ କ୍ଷୀର ଭଳି ଉଦ୍ଭିଦ ଉପାଦାନରୁ ତିଆରି ପନିର ହେଉଛି ପ୍ଲାଣ୍ଟ୍ ବେସ୍ଡ ପନିର, ଯାହା ଦୁଗ୍ଧର ବିକଳ୍ପ ଏବଂ ଶରୀର ପାଇଁ ପୋଷଣଯୁକ୍ତ ମଧ୍ୟ। ଅନ୍ୟପଟେ, ଆନାଲଗ୍ ପନିରକୁ ଅସଲି ପନିର ଭଳି ଦେଖାଇବା ପାଇଁ ଓ ଲାଗିବା ପାଇଁ ଉଦ୍ଭିଦଜ ତେଲ ବା ଚର୍ବି, ଷ୍ଟାର୍ଚ୍ଚ ଓ ପ୍ଲାଣ୍ଟ ପ୍ରୋଟିନ୍ ଭଳି ଉପାଦାନ ବ୍ୟବହାର କରାଯାଏ । ଯାହା ସଂପୂର୍ଣ୍ଣ ନକଲି ନହେଲେ ମଧ୍ୟ ଏହାକୁ “ପିଓର୍ ପନିର” ବୋଲି କହି ଗ୍ରାହକଙ୍କୁ ଭୁଲ ବିକ୍ରି କରିବା ଠିକ୍ ନୁହେଁ। ଉତ୍ପାଦଟି ଆନାଲଗ୍ କିମ୍ବା ନନ୍-ଡେୟରୀ ହେଲେ, ସେହି କଥା ଲେବଲ୍/ନାମରେ ସ୍ପଷ୍ଟ ରହିବା ଦରକାର।

ତେବେ ଅସଲି ପନିର ଚିହ୍ନିବେ କେମିତି? କେବଳ ରଙ୍ଗ, ନରମପଣ କିମ୍ବା ଟେକ୍ସଚର୍‌ ଦେଖି ଚିହ୍ନିବା କଷ୍ଟକର। ପ୍ୟାକେଟ୍‌ ପନିର କିଣିବାବେଳେ ଇନ୍‌ଗ୍ରେଡିଏଣ୍ଟ ଲିଷ୍ଟ ନିଶ୍ଚୟ ଦେଖନ୍ତୁ। ଭେଜିଟେବଲ୍ ତେଲ, ଭେଜିଟେବଲ୍ ଫ୍ୟାଟ୍‌, ଷ୍ଟାର୍ଚ୍ଚ କିମ୍ବା ପ୍ଲାଣ୍ଟ ପ୍ରୋଟିନ୍‌ ଥିଲେ ଏହା ଡେୟରୀ ପନିର କି ଆନାଲଗ୍‌, ଯାଞ୍ଚ କରନ୍ତୁ। FSSAI ନିୟମ ଅନୁସାରେ ଆନାଲଗ୍ ଉତ୍ପାଦରେ ‘Analogue’ ଭଳି ଘୋଷଣା ରହିବାର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଖୋଲାରେ ବିକ୍ରି ହେଉଥିବା ପନିରରେ ଲେବଲ୍‌ ନଥିବାରୁ ଅଧିକ ସତର୍କ ରହିବା ଦରକାର। ତେଣୁ ଭରସାଯୋଗ୍ୟ ଓ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କଠାରୁ ପନିର କିଣିବା ଭଲ।

Leave A Reply

Your email address will not be published.