Latest Odisha News

BREAKING NEWS

Odisha Flood Fury: ଅବପାତ ନା ବାତ୍ୟା? ଲ୍ୟାଣ୍ଡଫଲ୍‌ର ୪୦ ଘଣ୍ଟା ପରେ ବି ଓଡ଼ିଶାରେ ତାଣ୍ଡବ, ୪୦୦ ମିମି ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର: ଗଭୀର ଅବପାତ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଏହାର ପ୍ରଭାବ ଏବେ ବି ସମ୍ପୂର୍ଣ୍ଣ କମିନାହିଁ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗର ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରି ଉପକୂଳ, ଉତ୍ତର ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ପାଣିପାଗର ପ୍ରଭାବ ଦେଖିବାକୁ ମିଳିଛି। ୨୬ ତାରିଖ ସକାଳୁ ଅର୍ଥାତ୍ ଆଜି ମଧ୍ୟ ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି ।

ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ପ୍ରାୟ ୪୦୦ ମିମି ବର୍ଷା ହୋଇଛି। ପ୍ରବଳ ବର୍ଷାରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀର ଜଳସ୍ତର ବଢ଼ିଛି। ଅନେକ ସ୍ଥାନରେ ଗଛ ଉପୁଡ଼ିଛି, ବଡ଼ ବଡ଼ ଡାଳ ଭାଙ୍ଗିଛି ଏବଂ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ଦ୍ରୁତଗତିରେ ବଢ଼ିଛି। ବିଶେଷକରି ଅବିଭକ୍ତ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅବପାତ ଓଡ଼ିଶା ଛାଡ଼ି ଛତିଶଗଡ଼ ଆଡ଼କୁ ଚାଲିଯିବା ପରେ ମଧ୍ୟ ପବନ ଓ ବର୍ଷାର ପ୍ରଭାବ ଦୀର୍ଘ ସମୟ ଧରି ରହିଥିଲା। ଶୁକ୍ରବାର ଭୁବନେଶ୍ୱର ଏବଂ କଟକରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିଥିଲା। ଅନେକ ସ୍ଥାନରେ ଗଛଡାଳ ଭାଙ୍ଗିବା ସହ ଫୁଲ କୁଣ୍ଡ ଓ ଅନ୍ୟ ସାମଗ୍ରୀ ମଧ୍ୟ ଉଡ଼ିଯାଇଥିଲା। ପୁରୀରେ ମଧ୍ୟ ପବନର ବେଗ ପ୍ରାୟ ୫୦ କିମି ପ୍ରତି ଘଣ୍ଟା ରହିଥିବା ବେଳେ ଝଟକା ପବନ ୭୦ କିମି ପ୍ରତି ଘଣ୍ଟାରୁ ଅଧିକ ରହିଥିଲା। ଭୁବନେଶ୍ୱରରେ ପବନର ବେଗ ପ୍ରାୟ ୪୦ରୁ ୪୫ କିମି ରହିଥିବା ବେଳେ ଝଟକା ପବନ ୫୬ କିମି ପର୍ଯ୍ୟନ୍ତ ପହଞ୍ଚିଥିଲା। ଯାହାକୁ ନେଇ ଏହା ଗଭୀର ଅବପାତ ନା ମିନି ବାତ୍ୟା ଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

ତେବେ ଏହି ପାଣିପାଗ ପ୍ରଣାଳୀର ଶକ୍ତି ଓ ବ୍ୟାପକ ପ୍ରଭାବକୁ ନେଇ ପାଣିପାଗ ବିଜ୍ଞାନୀ ଓ ବିଭିନ୍ନ ପାଣିପାଗ ମଡେଲର ଆକଳନରେ ପାର୍ଥକ୍ୟ ଦେଖାଯାଇଛି। ଭାରତୀୟ ପାଣିପାଗ ବିଭାଗ IMD ଏହାକୁ ଗଭୀର ଅବପାତ ବୋଲି ଦର୍ଶାଇଛି ଏବଂ ବାତ୍ୟା ନୁହେଁ ବୋଲି ସ୍ପଷ୍ଟ କରିଛି। ଅନ୍ୟପଟେ ଆମେରିକାର ଜଏଣ୍ଟ ଟାଇଫୁନ୍ ଓ୍ବାର୍ଣ୍ଣିଂ ସେଣ୍ଟର (JTWC) ସିଷ୍ଟମକୁ ବାତ୍ୟା ଭାବେ ଶ୍ରେଣୀଭୁକ୍ତ କରିଥିବା ରିପୋର୍ଟ ରହିଛି। ତେବେ ଏକ ଗଭୀର ଅବପାତ ଏତେ ବଡ଼ ଅଞ୍ଚଳରେ ଏତେ ଦୀର୍ଘ ସମୟ ଧରି ବର୍ଷା ଓ ପବନର ପ୍ରଭାବ ପକାଇବା ନିଶ୍ଚିତ ଭାବେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ କାହିଁକି ଏତେ ଶକ୍ତିଶାଳୀ ହେଲା ପ୍ରଣାଳୀ? ଏହାକୁ ନେଇ ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, କିଛି ଆନ୍ତର୍ଜାତିକ ପାଣିପାଗ ମଡେଲ ଏହି ସିଷ୍ଟମକୁ ବାତ୍ୟା ଶ୍ରେଣୀରେ ରଖିଥିଲେ। ଲ୍ୟାଣ୍ଡଫଲ୍‌ର ପ୍ରାୟ ୪୦ ଘଣ୍ଟା ପରେ ମଧ୍ୟ ଭୁବନେଶ୍ୱରରେ ଘଣ୍ଟାପ୍ରତି ୪୬ରୁ ୫୬ କିମି ବେଗରେ ପବନ ବହୁଥିଲା। ମଝିରେ ଝଟକା ପବନ ୬୬ କିମି ପର୍ଯ୍ୟନ୍ତ ଯାଇଥାଇପାରେ। ସେମାନଙ୍କ ମତରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ରେନ୍ ବ୍ୟାଣ୍ଡ୍ ସୃଷ୍ଟି ହୋଇଥିଲା। ଏହା ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଥିଲା। ସେହି ସମୟରେ ବଙ୍ଗୋପସାଗରରୁ ପ୍ରଚୁର ଜଳୀୟବାଷ୍ପ ଉପକୂଳ ଦେଇ ଓଡ଼ିଶା ଭିତରକୁ ଆସୁଥିଲା। ବାୟୁଚାପରେ ତାରତମ୍ୟ ରହିବା ଯୋଗୁଁ ପବନ ଗତିଶୀଳ ହୋଇଥିଲା। ଆକାଶରେ ବଡ଼ ବଡ଼ ମେଘଖଣ୍ଡ ରହିଥିବାରୁ ସେଗୁଡ଼ିକ ନିକଟର ପବନକୁ ତଳକୁ ଆଣିଥିଲା। ଫଳରେ ଅନେକ ସ୍ଥାନରେ ହଠାତ୍ ଝଟକା ପବନ ବଢ଼ିଥିଲା। ସିଷ୍ଟମ ଘନୀଭୂତ ହେବା ସମୟରେ ଉପର ବାୟୁମଣ୍ଡଳର ଅନୁକୂଳ ପରିସ୍ଥିତି, ସମୁଦ୍ରର ଉଷ୍ମ ତାପମାତ୍ରା ଏବଂ ଦକ୍ଷିଣ-ପଶ୍ଚିମ ଦିଗରେ ସଂଗଠିତ ମେଘଖଣ୍ଡ ମଧ୍ୟ ଏହାକୁ ଶକ୍ତି ଦେଇଥିବା କୁହାଯାଇଛି ।

ତେବେ ଏହି ସିଷ୍ଟମ ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ୨୨ ତାରିଖରୁ ଲଗାଣ ବର୍ଷା ଜାରି ରହିଛି। ସିଷ୍ଟମର ବାହ୍ୟ ମେଘଖଣ୍ଡ ଏକ ବିଶାଳ ଅଞ୍ଚଳରେ ବ୍ୟାପି ରହିଥିଲା। ଓଡ଼ିଶା ଉପର ଦେଇ ଏକ ବଡ଼ ମେଘ ସମୂହ ଅତିକ୍ରମ କରୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ହୋଇଥିଲା। ତଳ ବାୟୁମଣ୍ଡଳରେ ପବନ ଏକତ୍ରିତ ହେଉଥିବା ବେଳେ ଉପର ଭାଗରେ ଏହା ବିଚ୍ଛୁରିତ ହେଉଥିଲା। ଏହି ପ୍ରକ୍ରିୟା ଯୋଗୁଁ ବାହ୍ୟ ମେଘ ସମୂହ ଶୀଘ୍ର ଦୁର୍ବଳ ହୋଇନଥିଲା। ଫଳରେ ପୂର୍ବ ଦିଗରୁ ଓଡ଼ିଶା ମଧ୍ୟକୁ ଲଗାତାର ପବନ ପ୍ରବାହିତ ହୋଇଥିଲା ଏବଂ ବର୍ଷା ସହ ପବନ ଉପକୂଳ ଓ ଉତ୍ତର ଓଡ଼ିଶାକୁ ମଧ୍ୟ ପ୍ରଭାବିତ କରିଥିଲା। ସେପ୍ଟେମ୍ବର ୨୫ ସକାଳ ପର୍ଯ୍ୟନ୍ତ ସିଷ୍ଟମ ଯଥେଷ୍ଟ ଦୁର୍ବଳ ହୋଇନଥିବାରୁ ଏହାର ପ୍ରଭାବ ଅଧିକ ସମୟ ରହିଥିଲା। ଲଗାଣ ବର୍ଷାରେ ମାଟି ନରମ ଓ ଦୁର୍ବଳ ହୋଇଯିବାରୁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି।

ଅନ୍ୟପଟେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ଅନୁସାରେ, ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ୧୦ଟି ଜିଲ୍ଲା, ୫୬ଟି ବ୍ଲକ୍, ୨୭୨ଟି ଗ୍ରାମ ପଞ୍ଚାୟତ ଓ ୮୫୭ଟି ଗାଁ ପ୍ରଭାବିତ ହୋଇଛି। ୧୮,୪୬୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୪,୪୭୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ୪୦୪ରୁ ଅଧିକ ଘର ମଧ୍ୟ ଆଂଶିକ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଗଜପତି, ନବରଙ୍ଗପୁର ଏବଂ ମାଲକାନଗିରିର ୬ଟି ଗାଁ ମୁଖ୍ୟ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇରହିଛି। ବିପନ୍ନ ଲୋକଙ୍କ ପାଇଁ ୨୦୬୧ଟି ରିଲିଫ୍ କିଚେନ୍ ଖୋଲାଯାଇଛି।ଏହି କିଚେନ୍ ମାଧ୍ୟମରେ ୧୪ ହଜାରରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଉଦ୍ଧାର ଓ ରିଲିଫ୍ କାମରେ ୩୩ଟି ଓଡ୍ରାଫ୍ ଏବଂ ଗୋଟିଏ ଏନ୍‌ଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି। ଞ୍ଜାମ, କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଭଳି ବିପଦପ୍ରବଣ ଜିଲ୍ଲାରେ ଟିମ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି।

ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍ ଖୋଲାଯାଇଥିବା ବେଳେ ବୈତରଣୀ, ଜଳକା ଆଦି ନଦୀର କିଛି ସ୍ଥାନରେ ଜଳସ୍ତର ବିପଦସଙ୍କେତ ଉପରେ ରହିଛି। ତେବେ ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ଏବେ ବଡ଼ ବନ୍ୟାର ତୁରନ୍ତ ଆଶଙ୍କା ନଥିବା ଅଧିକାରୀମାନେ କହିଛନ୍ତି।

ଗଭୀର ଅବପାତ ଏବେ ଛତିଶଗଡ଼ ଦେଇ ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବାରୁ ଦକ୍ଷିଣ ଓଡ଼ିଶାରେ ଆଗାମୀ ୨୪ ଘଣ୍ଟାରେ ବର୍ଷାର ତୀବ୍ରତା କମିବା ଆଶା କରାଯାଉଛି। ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଭଳି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଣିପାଗକୁ ନେଇ ସତର୍କତା ଜାରି ରହିଛି। ଅନେକ ଜିଲ୍ଲାରେ ଏବେ ବି ବର୍ଷା ଜାରି ରହିଥିବା ବେଳେ ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.