ନୂଆଗାଁ:ନୟାଗଡ଼ ଜିଲ୍ଲା ନୂଆଗାଁ ଥାନାର ଗାତେରି ପଞ୍ଚାୟତର ଆଡ଼ିପଡ଼ା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ।ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଆଡ଼ିପଡ଼ା ଗାଁର ମନୁ ବାରିକ (୫୦)। ଘଟଣା ପରେ ଗ୍ରାମରେ ତୀବ୍ର ଉତ୍ତେଜନା ଲାଗି ରହିଛି ।
ସୂଚନାନୁଯାୟୀ, ଆଡ଼ିପଡ଼ା ଗ୍ରାମରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। କୌଣସି କାରଣକୁ ନେଇ ବୁଧବାର ରାତିରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହଠାତ୍ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ମଧ୍ୟରେ ମାରପିଟ୍ ସହ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି ।
ଆହତମାନଙ୍କୁ ପ୍ରଥମେ ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ୫ ଜଣଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଘଟଣା ପରେ ନୂଆଗାଁ ଥାନା ପୋଲିସ ଗ୍ରାମରେ ମୁତୟନ ହୋଇଛି। ତେବେ ଏବେ ବି ଗାଁରେ ଉତ୍ତେଜନା ଜାରି ରହିଥିବାରୁ ପୋଲିସ ସ୍ଥିତି ଉପରେ ନଜର ରଖିଛି। ଗୋଷ୍ଠୀ ସଂଘର୍ଷର ପ୍ରକୃତ କାରଣ ଏବଂ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।
