ନୂଆଦିଲ୍ଲୀ:ଇଜିପ୍ଟର ରାଜଧାନୀ କାଏରୋରେ ଥିବା ‘ରିଙ୍ଗ୍ ରୋଡ୍’ ଉପରେ ଏକ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯିବା ଫଳରେ ଅନ୍ତତଃ ୩୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୧ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଟ୍ୟାଙ୍କରରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ଏବଂ ଏହା ଦ୍ରୁତ ଗତିରେ ବ୍ୟାପିଯାଇ ନିକଟରେ ଥିବା ଅନେକ ଗାଡ଼ିକୁ ନିଜ କବଳକୁ ନେଇଯାଇଥିଲା। ଖବର ଅନୁଯାୟୀ, ଦ୍ରୁତ ଗତିରେ ଯାଉଥିବା ତେଲ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାଜପଥ ଉପରେ ଓଲଟି ପଡ଼ିଥିଲା, ଯାହା ଫଳରେ ଏକ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା।
ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଛନ୍ତି ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆହତମାନଙ୍କୁ ‘ଜାୟେଦ ସ୍ପେଶାଲାଇଜଡ୍ ଇମ୍ବାବା ଜେନେରାଲ୍ ହସ୍ପିଟାଲ୍’ ଏବଂ ‘ୱାରାକ୍ ସେଣ୍ଟ୍ରାଲ୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୩୯ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିଲା।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତ ଯେ, ଏହା ଏକ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ ଥିଲା ଗାଡ଼ିଗୁଡ଼ିକ ଭିତରେ ଲୋକମାନେ ଥିବା ଅବସ୍ଥାରେ ଗାଡି ଜଳି ପାଉଁଶ ହୋଇଯାଇଥିଲା। ସେମାନଙ୍କୁ ବାହାରକୁ ବାହାରି ଆସିବା ପାଇଁ ସୁଯୋଗ ମଧ୍ୟ ମିଳିନଥିଲା।
ରାଷ୍ଟ୍ରପତି ଅବଦେଲ-ଫତାହ ଏଲ୍-ସିସି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଏବଂ ଆହତମାନଙ୍କ ପାଇଁ ନିଜର ସମବେଦନା ଜଣାଇଛନ୍ତି।
