ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ଅଧୀନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ଶନିବାର) ୧,୧୦୧ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଆଜି ଏହି ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତ ୯୦୬ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ।
ଏଥିସହ ସମବାୟ ବିଭାଗରେ ୧୭ଜଣ, ଅର୍ଥ ବିଭାଗରେ ୧୦୬ଜଣ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୭୨ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଏହି ଅବସରରେ ଶିଶୁ, କିଶୋର ଓ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ସଂପର୍କିତ ‘ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ’ ପୁସ୍ତକ ଲୋକାର୍ପିତ କରାଯିବ ।
“ପ୍ରତ୍ୟେକ ଯୁବ ଆଶାୟୀଙ୍କ ମନରେ ଏକ ସ୍ୱପ୍ନ ଥାଏ ଏବଂ ପ୍ରତ୍ୟେକ ସ୍ୱପ୍ନ ଏକ ସୁଯୋଗ ପାଇବାର ଯୋଗ୍ୟ ଅଟେ। ଆଜିର ନିଯୁକ୍ତି ମେଳାରେ, ମୁଁ ୧,୧୦୦ରୁ ଅଧିକ ଯୁବ ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବି, ଯାହା ସେମାନଙ୍କର ଏକ ନୂତନ ବୃତ୍ତିଗତ ଯାତ୍ରାର ଶୁଭାରମ୍ଭ ହେବ। ଓଡ଼ିଶାର ବିକାଶରେ ସେବା ଓ ଅବଦାନ ଯୋଗାଇବା ପାଇଁ ଆଗକୁ ବଢ଼ୁଥିବା ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି,” ବୋଲି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ‘X’ ରେ କହିଛନ୍ତି।

