Latest Odisha News

BREAKING NEWS

ରାଜ୍ୟରେ ଆରମ୍ଭ ହେଲା ‘ଅଙ୍ଗନ କା ଉତ୍ସବ’: ଅଙ୍ଗନବାଡ଼ି କର୍ମୀଙ୍କ ପୋଷାକ ଭତ୍ତା ବଢ଼ାଇଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ରାଜ୍ୟରେ ମହିଳା, କିଶୋରୀ ଏବଂ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ତଥା ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଶନିବାର ଦିନ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ରାଜ୍ୟବ୍ୟାପୀ ‘ଅଙ୍ଗନ କା ଉତ୍ସବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି ।

ଏହି ଉଦ୍‌ଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେମାନଙ୍କର ଶାଢ଼ୀ ବାବଦରେ ମିଳୁଥିବା ଭତ୍ତାକୁ ବାର୍ଷିକ ୧୩୯୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଅର୍ଥରେ କେନ୍ଦ୍ର ସରକାରଙ୍କ ଭାଗ ୬୦୦ ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ୯୦୦ ଟଙ୍କା ପ୍ରଦାନ କରିବେ । ଏଥିପାଇଁ ୨୨.୩୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଥିବା ବେଳେ ଏହାଦ୍ୱାରା ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସିଧାସଳଖ ଉପକୃତ ହେବେ ।

ଏହାବ୍ୟତୀତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଦ୍ୟୁତ୍ ବିଲ୍ ପୈଠ ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ପାଇଁ ‘ଦୀପ୍ତି’ ନାମକ ଏକ ଡିଜିଟାଲ୍ ପୋର୍ଟାଲ୍ ମଧ୍ୟ ଲଞ୍ଚ କରାଯାଇଛି। ଫଳରେ ଅଙ୍ଗନବାଡ଼ି କର୍ମୀମାନେ ନିଜ ପକେଟରୁ ବିଲ୍ ଦେବା ଝଞ୍ଜଟରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଉପଲବ୍ଧ ହୋଇପାରିବ। ଏଭଳି ଏକ ଡିଜିଟାଲ୍ ବ୍ୟବସ୍ଥା ଲାଗୁ କରିବାରେ ମହିଳା ଓ ଶିଶୁ ବିକାଶ ବିଭାଗ ରାଜ୍ୟର ପ୍ରଥମ ବିଭାଗ ପାଲଟିଛି ।

ଆସନ୍ତା ସେପ୍ଟେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାଜ୍ୟର ସମସ୍ତ ୭୪,୨୨୪ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ‘ଅଙ୍ଗନ କା ଉତ୍ସବ’ ଖୁବ୍ ମହାସମାରୋହରେ ପାଳନ କରାଯିବ । ଏଥିରେ ପ୍ରାୟ ୩୭.୧୧ ଲକ୍ଷ ହିତାଧିକାରୀ ଓ ପରିଚାଳନା କମିଟି ସଦସ୍ୟ ଏବଂ ୧୩ ଲକ୍ଷରୁ ଅଧିକ କୁନି ପିଲା ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅଭିଯାନର ପ୍ରଥମ ଦିନରେ ପୁଷ୍ଟିକର ଖାଦ୍ୟ ଉପରେ ବିଶେଷ ପ୍ରତିଯୋଗିତା ଅନୁଷ୍ଠିତ ହେବ, ଯେଉଁଥିରେ ପରିବାର ସଦସ୍ୟମାନେ ‘ପୋଷଣ ପିଠା’ ପ୍ରଦର୍ଶନ କରିବେ ଏବଂ ବାପାମାନଙ୍କ ପାଇଁ ସ୍ୱତନ୍ତ୍ର ରୋଷେଇ ପ୍ରତିଯୋଗିତା ହେବ ।

ଦ୍ୱିତୀୟ ଦିନରେ ଶିଶୁମାନଙ୍କ ପାଇଁ ଖେଳ, ଗପ ଶୁଣିବା ସହ ‘ଆମ କୁନିପିଲା’ ଏବଂ ‘ମୋ ବିକାଶ ପତ୍ର’ ଭଳି ପୁସ୍ତକ ପ୍ରଦର୍ଶିତ ହେବ। ଶିଶୁମାନଙ୍କୁ ଲସି, ସ୍ଥାନୀୟ ଫଳ ଏବଂ ମିଲେଟ୍ କୁକିଜ୍ ବଣ୍ଟନ କରାଯିବ। ଅନ୍ତିମ ଦିନରେ ପୋଷଣ, ସୁଭଦ୍ରା, ମମତା, ପ୍ରଧାନମନ୍ତ୍ରୀ ଆବାସ ଏବଂ ଅଦ୍ୱିକା ଭଳି ସରକାରୀ ଯୋଜନା ଉପରେ ବିସ୍ତୃତ ଆଲୋଚନା ହେବା ସହ କର୍ମୀମାନଙ୍କ ପାଇଁ ସ୍ୱାସ୍ଥ୍ୟକର ‘ତିରଙ୍ଗା ଥାଳି’ର ବ୍ୟବସ୍ଥା କରାଯିବ ।

ଦେଶବ୍ୟାପୀ ପାଳନ ହେଉଥିବା ଜାତୀୟ ପୋଷଣ ମାସ ଏବଂ ସେବା ସଂକଳ୍ପ ଅଭିଯାନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତୃଣମୂଳ ସ୍ତରରେ ପୁଷ୍ଟିସାଧନ ଓ ଶିଶୁ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସମାଜର ମିଳିତ ସହଯୋଗରେ ହିଁ ଏକ ସୁସ୍ଥ ପିଢ଼ି ଗଠନ ସମ୍ଭବ ବୋଲି ଉପମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ସଚିବ ଡ. ମୃଣାଳିନୀ ଦର୍ଶୱାଲ, ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଏବଂ ଟିପିସିଓଡିଏଲର ସିଇଓ ଗଜାନନ ଏସ. କାଲେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.