ନୂଆଦିଲ୍ଲୀ:ଭାରତୀୟ ଦଳର ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆହତ ହୋଇଛନ୍ତି । ତାଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ବେଳେ ସେ ଅତି କମରେ ୩ ସପ୍ତାହ ପର୍ୟ୍ୟନ୍ତ ପଡିଆରୁ ଦୂରରେ ରହିବେ । ଫଳରେ ଅକ୍ଟୋବର ୨୨ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ୍ ସହ ଅଷ୍ଟ୍ରେଲିଆ-ଏ ବିପକ୍ଷ ସିରିଜରୁ ମଧ୍ୟ ସେ ବାଦ୍ ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସ୍କାନ୍ ରିପୋର୍ଟ ଆସିବା ପରେ ତାଙ୍କୁ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ମେଡିକାଲ ପ୍ୟାନେଲ୍ ମୁଖ୍ୟ ଡକ୍ଟର ଦିନଶା ପାର୍ଦିୱାଲା ଜାପାନ ଗସ୍ତରୁ ଫେରିବା ପରେ ହାର୍ଦ୍ଦିକଙ୍କ ରିପୋର୍ଟ ସମୀକ୍ଷା କରିବେ ଏବଂ ତା’ପରେ ତାଙ୍କର ରିହାବିଲିଟେସନ୍ ନେଇ ନିଷ୍ପତ୍ତି ନିଆଯିବ । ସେପ୍ଟେମ୍ବର ୨୦ ସୁଦ୍ଧା ହାର୍ଦ୍ଦିକ ଫିଟ୍ ହୋଇ ଫେରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା ।
ଏହି ଆଧାରରେ ଅକ୍ଟୋବର ୬ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ-ଏ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଇଣ୍ଡିଆ-ଏ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ଏହି ନୂଆ ଆଘାତ ଯୋଗୁଁ ସେ ଏହି ସିରିଜରୁ ବାହାରି ଯାଇଛନ୍ତି । ଏସିଆନ୍ ଗେମ୍ସ ପାଇଁ ହାର୍ଦ୍ଦିକଙ୍କ ଭିସା କାମ ମଧ୍ୟ ବିସିସିଆଇ ଆରମ୍ଭ କରିଦେଇଥିଲା । ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ଫିଲ୍ଡିଂ ଡ୍ରିଲ୍ ବେଳେ ଗୋଡ଼ରେ ଗୋଡ଼ରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା । କିଛି ଦିନ ବିଶ୍ରାମ ନେବା ପରେ ଫିଟନେସ୍ ସାର୍ଟିଫିକେଟ୍ ନେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଯନ୍ତ୍ରଣା ପୁଣି ବଢ଼ିଥିଲା । ଗତ ୪ ମାସ ମଧ୍ୟରେ ସେ ୩ ଥର (ଆଫଗାନିସ୍ତାନ ସିରିଜ୍, ଇଂଲଣ୍ଡ ସିରିଜ୍ ଓ ଏବେ ଅଷ୍ଟ୍ରେଲିଆ-ଏ) ଆହତ ହୋଇସାରିଛନ୍ତି । ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍ ପଡ଼ିବା ପରେ ଏବେ ଜିମ୍ବାବୱେ ବିପକ୍ଷ ଦିନିକିଆ ସିରିଜ୍ କିମ୍ବା ଘରୋଇ କ୍ରିକେଟ୍ ମାଧ୍ୟମରେ ସେ ମୈଦାନକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ।

