Latest Odisha News

BREAKING NEWS

ଓଡ଼ିଶାରେ ଥମୁନି ବର୍ଷାର ପ୍ରକୋପ: ଖୋର୍ଦ୍ଧା, କଟକ, ପୁରୀ ସମେତ ୧୫ ଜିଲ୍ଲାକୁ ଆଇଏମଡିର ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଏବଂ ତା’ର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ କେନ୍ଦ୍ରୀଭୂତ ଥିବା ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେବାକୁ ଯାଉଛି । ଶନିବାର ଦିନ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଗତି କରିଛି । ଏହା ସେପ୍ଟେମ୍ବର ୨୬ ସନ୍ଧ୍ୟା ପର୍ଯ୍ୟନ୍ତ ଅବପାତ ରୂପେ ରହିବା ପରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଏକ ସୁଦୃଢ଼ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ଦୃଢ଼ ସମ୍ଭାବନା ରହିଛି । ବର୍ତ୍ତମାନ ଏହି ସିଷ୍ଟମକୁ ରାଇପୁର ଏବଂ ଲକ୍ଷ୍ନୌର ଡପଲର୍ ୱେଦର ରାଡାର ଜରିଆରେ ଲଗାତାର ଟ୍ରାକ୍ କରାଯାଉଛି ।

ଅନ୍ୟପକ୍ଷରେ ଏହି ପାଣିପାଗ ସିଷ୍ଟମର ପ୍ରଭାବରେ ବିଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୯ଟି ଜିଲ୍ଲାର ପ୍ରାୟ ୧୯ଟି ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ନଅଣାଠାରେ ସର୍ବାଧିକ ୧୨୬ ମିଲିମିଟର ବର୍ଷା ହୋଇଛି, ଯାହାକୁ ‘ଅତି ପ୍ରବଳ’ ବର୍ଷା ଶ୍ରେଣୀଭୁକ୍ତ କରାଯାଇଛି । ସେହିପରି ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ୧୦୭ ମିମି ଏବଂ ବାଲେଶ୍ୱରର ଖଇରାଠାରେ ୧୦୧ ମିମି ବର୍ଷା ରେକର୍ଡ ହୋଇଛି ।

ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟରେ ପାଗ ମେଘୁଆ ରହିବା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୫ଟି ଜିଲ୍ଲାକୁ ସେପ୍ଟେମ୍ବର ୨୭ ତାରିଖ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ ଏବଂ ଦେବଗଡ଼ ରହିଛି ।

ଏହି ସମୟ ମଧ୍ୟରେ ସ୍ୱଳ୍ପ ସମୟ ପାଇଁ ହଠାତ୍ ଘଡ଼ଘଡ଼ି ମାରିବାର ଆଶଙ୍କା ଥିବାରୁ, ଆଲର୍ଟ ଜାରି ହୋଇଥିବା ଅଞ୍ଚଳର ବାସିନ୍ଦାମାନଙ୍କୁ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.