Latest Odisha News

BREAKING NEWS

ବର୍ଷା କ୍ଷୟକ୍ଷତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ: ବୁଡ଼ିଲା ୪ ହଜାର ହେକ୍ଟର ଫସଲ

ଭୁବନେଶ୍ୱର: ଲଗାଣ ବର୍ଷା ଏବଂ ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ରାଜ୍ୟର ମୋଟ ୧୦ଟି ଜିଲ୍ଲାର ୭୩ ହଜାରରୁ ଅଧିକ ଲୋକ ଏହି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି । ବର୍ଷା ଓ ବନ୍ୟା ସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ପରେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସବିଶେଷ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

ସରକାରୀ ଆକଳନ ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ, ବାଲେଶ୍ୱର, ଗଜପତି, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୟାଗଡ଼, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏହି ୧୦ଟି ଜିଲ୍ଲାର ୮୦ଟି ବ୍ଲକ୍ ଏବଂ ୧୦ଟି ସହରାଞ୍ଚଳର ୪୯ଟି ୱାର୍ଡ ଅଧୀନରେ ଥିବା ୩୨୫ଟି ଗ୍ରାମ ପଞ୍ଚାୟତର ମୋଟ ୧,୦୭୧ ଗାଁ ବର୍ଷା ଜଳରେ ପ୍ରଭାବିତ ହୋଇଛି । ପ୍ରାୟ ୧୬ଟି ଗାଁ ସମ୍ପୂର୍ଣ୍ଣ ରୂପେ ଜଳବନ୍ଦୀ ଅବସ୍ଥାରେ ରହିଛି । କେବଳ ସେତିକି ନୁହେଁ, ପ୍ରାୟ ୪,୪୮୦ ହେକ୍ଟର ଚାଷଜମିରେ ବର୍ଷା ଓ ବନ୍ୟା ପାଣି ମାଡ଼ିଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି, ଯାହା ଚାଷୀକୂଳ ପାଇଁ ଏକ ବଡ଼ ଝଟକା ପାଲଟିଛି ।

ଅବିଶ୍ରାନ୍ତ ବର୍ଷା କାରଣରୁ ମହାନଦୀ ସମେତ ଉତ୍ତର ଓଡ଼ିଶାର ଏକାଧିକ ନଦୀର ଜଳସ୍ତର ବିପଦଜନକ ଭାବେ ବୃଦ୍ଧି ପାଉଛି । ବିଶେଷ କରି ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ଭୋଗରାଇ ଏବଂ ଜଳେଶ୍ୱର ଅଞ୍ଚଳରେ ସୁବର୍ଣ୍ଣରେଖା ଏବଂ ଜଳକା ନଦୀ ଉଛୁଳିବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାତି ୯ଟା ସୁଦ୍ଧା ବୁଢ଼ାବଳଙ୍ଗ ନଦୀର ଜଳସ୍ତର ୮.୯ ମିଟର ଛୁଇଁବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ନଦୀଗୁଡ଼ିକରେ ଜଳପ୍ରବାହକୁ ନିୟନ୍ତ୍ରଣ କରିବା ପାଇଁ ଆନନ୍ଦପୁର ବ୍ୟାରେଜ୍‌ର ୩୧ଟି ଗେଟ୍ ଖୋଲିଦିଆଯାଇଛି ।

ଅନ୍ୟପକ୍ଷରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ମଧ୍ୟରାତ୍ରି ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ ଆଖୁଆପଦା ଏବଂ ରାଜଘାଟଠାରେ ଶନିବାର ସକାଳଠାରୁ ଶାଳନ୍ଦୀ ନଦୀର ଜଳସ୍ତର ଧୀରେ ଧୀରେ କମିବାର ସମ୍ଭାବନା ରହିଛି, ଯାହାଫଳରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିପାରେ। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.