ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବା ଅବସରରେ କହିଛନ୍ତି।
ଏହି ଅବସରରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାକ୍-ପ୍ରାଥମିକରୁ ଆରମ୍ଭ କରି ଯୁବବର୍ଗଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସ-ଭିତ୍ତିକ ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’ ପୁସ୍ତିକା ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଦକ୍ଷତା ବିକାଶ ବିଭାଗର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି ପୁସ୍ତିକା ରାଜ୍ୟର ଯୁବପିଢ଼ିଙ୍କୁ ମାନସିକ ସ୍ତରରେ ସୁଦୃଢ଼ କରିବାରେ ସହାୟକ ହେବ।
ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସ୍ୱଚ୍ଛ ପ୍ରଶାସନ ମାଧ୍ୟମରେ ସେମାନଙ୍କ ଆକାଂକ୍ଷାକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଦର୍ଶାଇ, ‘ସମୃଦ୍ଧ ଓଡ଼ିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ର ସ୍ୱପ୍ନକୁ ସାକାର କରିବାରେ ନବନିଯୁକ୍ତ ଅଧିକାରୀମାନଙ୍କ ଦକ୍ଷତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ପ୍ରମୁଖ ମୂଳଦୁଆ ସାଜିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।
ସରକାର ଗଠନର ମାତ୍ର ୨ ବର୍ଷ ୩ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ମାଧ୍ୟମରେ ରେକର୍ଡ ୪୬,୫୭୫ ଜଣ ଯୁବକଯୁବତୀଙ୍କୁ ସରକାରୀ ସେବାରେ ନିୟୋଜିତ କରାଯାଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟଯେ ଆଜିର ଏହି ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା ପ୍ରଶାସନିକ ସେବା (OAS)ର ୩୦ ଜଣ, ଓଡ଼ିଶା ରାଜସ୍ୱ ସେବା (ORS)ର ୪୨ ଜଣ, ଓଡ଼ିଶା ଅର୍ଥ ସେବା (OFS)ର ୪୬ ଜଣ, ଓଡ଼ିଶା ଟିକସ ଓ ହିସାବ ସେବା (OTAS)ର ୬୦ ଜଣ ଏବଂ ସମବାୟ ସେବା (OCS & OCAS)ର ୧୭ ଜଣ ଅଧିକାରୀ ସରକାରୀ ସେବାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।
ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବି ସେବା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ନିଜ ଅଭିଭାଷଣରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ଏକ ‘ପଞ୍ଚସୂତ୍ରୀ’ ମନ୍ତ୍ର ପ୍ରଦାନ କରିଛନ୍ତି।
ସେ ସ୍ପଷ୍ଟ ଭାବେ କହିଥିଲେ ଯେ ‘ଜନସେବା ହିଁ ମାଧବ ସେବା’, ତେଣୁ ନିଜକୁ ଶାସକ ନ ଭାବି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଭଳି ନିଜକୁ ‘ଜନସେବକ’ ମନେକରି ସାଧାରଣ ଲୋକଙ୍କ ସେବା କରିବାକୁ ହେବ। ଦୁର୍ନୀତିକୁ କ୍ୟାରିୟର ପାଇଁ ବିଷ ସଦୃଶ ଗ୍ରହଣ କରିବାକୁ ଚେତାବନୀ ଦେଇ ସେ ସ୍ପଷ୍ଟ କରିଥିଲେ ଯେ ସରକାରଙ୍କ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଜାରି ରହିଛି ଏବଂ ଏଥିପାଇଁ ଭିଜିଲାନ୍ସ ବିଭାଗକୁ ସମ୍ପୂର୍ଣ୍ଣ ଖୋଲା ସ୍ୱାଧୀନତା ଦିଆଯାଇଛି। ଏହା ସହିତ “Great power comes with great responsibilities” ନ୍ୟାୟରେ ପଦବୀର ମର୍ଯ୍ୟାଦା ରକ୍ଷା କରିବା, ‘ଜନ ଶୁଣାଣି’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ ଅଭିଯୋଗର ତ୍ୱରିତ ସମାଧାନ କରିବା ଏବଂ ତୃଣମୂଳ ସ୍ତରରେ ସରକାରଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ନବନିଯୁକ୍ତ ଡାକ୍ତର ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, “ନୂତନ ଭାବେ ଯୋଗଦେଉଥିବା ଦକ୍ଷ ଓ ନିଷ୍ଠାପର ଅଧିକାରୀମାନଙ୍କ ଆଗମନ ଦ୍ୱାରା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକ ସମୃଦ୍ଧ, କ୍ରିୟାଶୀଳ ଓ ସଶକ୍ତ ହେବ।” ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ୮୧୪ ଜଣ ମେଡିକାଲ ଅଫିସର ଏବଂ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ଦ୍ୱାରା ଗ୍ରାମୀଣ, ଉପାନ୍ତ ଓ ଜନଜାତି ବହୁଳ ଅଞ୍ଚଳରେ ଡାକ୍ତରୀ ସେବାର ଅଭାବ ଦୂର ହେବ ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଞ୍ଚିପାରିବ। ସ୍ୱାସ୍ଥ୍ୟ ବିଭାଗର ଏହି ନୂତନ ପରିବର୍ତ୍ତନ ରାଜ୍ୟର ଚିକିତ୍ସା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ‘ସୁସ୍ଥ ଓଡ଼ିଶା’ ଗଠନର ସ୍ୱପ୍ନକୁ ସାକାର କରିବ ବୋଲି ସେ ପ୍ରକାଶ କରିଥିଲେ।

