Latest Odisha News

BREAKING NEWS

ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍‌ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ

ଭୁବନେଶ୍ୱର: ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ୩ ଦିନିଆ ଧର୍ମଘଟ ପୂର୍ବରୁ ସାଧାରଣ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକରେ କାର୍ଯ୍ୟ ବନ୍ଦ ରହିବାକୁ ଥିବା ବେଳେ, ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ବ୍ୟାଙ୍କ ଅଫ୍ ବରୋଦା ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭଳି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ।

ସାଧାରଣତଃ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ, ଜଣେ ସଞ୍ଚୟ ଖାତାଧାରୀ ନିଜ ବ୍ୟାଙ୍କର ଏଟିଏମ୍‌ରୁ ମାସକୁ ସର୍ବାଧିକ ୫ ଥର ମାଗଣାରେ ଟଙ୍କା ଉଠାଇ ପାରିବେ । ଏହି ସୀମା ଅତିକ୍ରମ କଲେ ପ୍ରତି ଟ୍ରାଞ୍ଜାକ୍ସନ୍ ପାଇଁ ବ୍ୟାଙ୍କଗୁଡ଼ିକ ୨୩ ଟଙ୍କା ସହ ଜିଏସ୍‌ଟି ଆଦାୟ କରିଥାଆନ୍ତି। ତେବେ ଧର୍ମଘଟ ଯୋଗୁଁ ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଏହି ୩ ଦିନ ପାଇଁ ସବୁ ପ୍ରକାର ଏଟିଏମ୍ ଟ୍ରାଞ୍ଜାକ୍ସନ୍ ଉପରୁ ଦେୟ ଛାଡ଼ କରାଯାଇଛି ।

ବ୍ୟାଙ୍କ କର୍ମଚାରୀ ସଂଗଠନର ମିଳିତ ମଞ୍ଚ ‘ୟୁଏଫ୍‌ବିୟୁ’ ଏବଂ ଅନ୍ୟାନ୍ୟ ସଂଘ ଦୁଇଟି ପ୍ରମୁଖ ଦାବି ନେଇ ଏହି ଧର୍ମଘଟକୁ ଓହ୍ଲାଇଛନ୍ତି। ସେମାନଙ୍କର ମୁଖ୍ୟ ଦାବି ହେଲା ସପ୍ତାହକୁ ୫ ଦିନିଆ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଲାଗୁ କରିବା ଏବଂ ପରଫରମାନ୍ସ ଲିଙ୍କଡ୍ ଇନ୍‌ସେଣ୍ଟିଭ୍ ଯୋଜନାକୁ ପ୍ରତ୍ୟାହାର କରିବା। ଯଦିଓ ସରକାର ଏବେ ପିଏଲ୍‌ଆଇ ସ୍କିମ୍‌କୁ ସ୍ଥଗିତ ରଖିଛନ୍ତି, କିନ୍ତୁ ୫ ଦିନିଆ କାମ ଦାବି ଏବେ ବି ଅମୀମାଂସିତ ରହିଛି। ଅର୍ଥ ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ପକ୍ଷରୁ ଧର୍ମଘଟରୁ ନିବୃତ୍ତ ରହିବାକୁ ନିବେଦନ କରାଯାଇଥିଲେ ମଧ୍ୟ ସଂଘ ନିଜ ନିଷ୍ପତ୍ତିରେ ଅଟଳ ରହିଛି ।

ଯଦି ଏହି ୩ ଦିନିଆ ଧର୍ମଘଟ ପରେ ବି ଦାବି ପୂରଣ ନହୁଏ, ତେବେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ହେବ ବୋଲି ସଂଘ ଚେତାବନୀ ଦେଇଛି। ଅନ୍ୟପକ୍ଷରେ, ଏହି ଧର୍ମଘଟର ପ୍ରଭାବ କମାଇବା ପାଇଁ ଆର୍‌ବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ସେପ୍ଟେମ୍ବର ୨୭ ତାରିଖ ରବିବାର ଦିନ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହାକୁ ଆର୍‌ବିଆଇ କର୍ମଚାରୀ ସଂଘଗୁଡ଼ିକ କଡ଼ା ବିରୋଧ କରିଛନ୍ତି ଏବଂ ଧର୍ମଘଟ ପ୍ରତି ସମର୍ଥନ ଜଣାଇ ସେପ୍ଟେମ୍ବର ୨୮ରେ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.