ଆମେରିକା: ଜାତିସଂଘ ନିରାପତ୍ତା ପରିଷଦର ସଂସ୍କାର ଓ ସମ୍ପ୍ରସାରଣକୁ ନେଇ ରୁଷିଆ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଜାତିସଂଘ ସାଧାରଣ ସଭାରେ ବକ୍ତବ୍ୟ ରଖି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଭାରତ ଓ ବ୍ରାଜିଲକୁ UNSCର ସ୍ଥାୟୀ ସଦସ୍ୟପଦ ମିଳିବା ନେଇ ଦୃଢ଼ ସମର୍ଥନ ଜଣାଇଛନ୍ତି। ଏଥିସହିତ ପାଶ୍ଚାତ୍ୟ ଦେଶଗୁଡ଼ିକର କ୍ଷମତା ବିସ୍ତାରକୁ ବିରୋଧ କରି ଜର୍ମାନୀ ଓ ଜାପାନର ସ୍ଥାୟୀ ସଦସ୍ୟ ହେବାର ଆଶା ଉପରେ ରୁଷିଆ ସମ୍ପୂର୍ଣ୍ଣ ବିରାମ ଲଗାଇଛି।
ଲାଭରୋଭ୍ କହିଛନ୍ତି ଯେ ନିରାପତ୍ତା ପରିଷଦର ସଂସ୍କାର ନାଁରେ କୌଣସି ପାଶ୍ଚାତ୍ୟ ରାଷ୍ଟ୍ରକୁ ନୂଆ କରି ସ୍ଥାୟୀ ଆସନ ଦିଆଯାଇପାରିବ ନାହିଁ । ବିଶେଷ କରି ଜର୍ମାନୀ ଓ ଜାପାନ ପୁନର୍ବାର ସାମରିକୀକରଣ ଏବଂ ପ୍ରତିଶୋଧମୂଳକ ନୀତି ଆଡ଼କୁ ଗତି କରୁଥିବାରୁ ସେମାନଙ୍କୁ ଏହି ପରିଷଦରେ ସାମିଲ କରାଯିବା ଆଦୌ ଗ୍ରହଣୀୟ ନୁହେଁ।
ରୁଷିଆ ବୈଦେଶିକ ମନ୍ତ୍ରୀଙ୍କ ଅନୁସାରେ, UNSCର ସମ୍ପ୍ରସାରଣ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକା ଭଳି ‘ଗ୍ଲୋବାଲ ସାଉଥ୍’ ବିକାଶଶୀଳ ରାଷ୍ଟ୍ରର ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ଉଚିତ। ସେ କହିଛନ୍ତି ଯେ ବିଗତ ୫୦୦ ବର୍ଷ ଧରି ଅନ୍ୟ ଦେଶର ସମ୍ବଳ ବ୍ୟବହାର କରି ବିଶ୍ୱରେ ଆଧିପତ୍ୟ ବିସ୍ତାର କରିଥିବା ପାଶ୍ଚାତ୍ୟ ଗୋଷ୍ଠୀ ଏବେ ବି ନିଜର ବିଶେଷାଧିକାର ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି।
ଏହି ସାଧାରଣ ସଭାରେ ମରିସସ୍, ପର୍ତ୍ତୁଗାଲ ଓ ସିଏରା ଲିଓନ୍ ଭଳି ଅନ୍ୟ କେତେକ ରାଷ୍ଟ୍ର ମଧ୍ୟ UNSCରେ ଭାରତର ସ୍ଥାୟୀ ସଦସ୍ୟପଦ ଦାବିକୁ ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ସେହିପରି ଆଫ୍ରିକୀୟ ମହାଦେଶକୁ ମଧ୍ୟ ନିରାପତ୍ତା ପରିଷଦରେ ଉଚିତ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ ବୋଲି ରୁଷିଆ ଗୁରୁତ୍ୱାରୋପ କରିଛି। ବର୍ତ୍ତମାନର ବାସ୍ତବ ଗ୍ରହଣୀୟ ବିଶ୍ୱ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୪୫ ମସିହାର ପୁରୁଣା ଢାଞ୍ଚାରେ ଚାଲିଥିବା ନିରାପତ୍ତା ପରିଷଦରେ ତୁରନ୍ତ ବ୍ୟାପକ ସଂସ୍କାର ଆଣିବାକୁ ଭାରତ ଦୀର୍ଘ ଦିନରୁ ଦାବି କରିଆସୁଛି। ରୁଷିଆର ଏହି ଶକ୍ତିଶାଳୀ ଓ ସ୍ପଷ୍ଟ ବକ୍ତବ୍ୟ ଆନ୍ତର୍ଜାତିକ ସ୍ତରରେ ଭାରତର ପକ୍ଷକୁ ଆହୁରି ମଜବୁତ ଓ ବଳପ୍ରଦାନ କରିଛି।

