Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ‘ପ୍ରଗତି ୫୦’ ଯୋଜନାରେ ସାମିଲ ହେଲା ଭୁବନେଶ୍ୱର ଓ ପୁରୀ

ଭୁବନେଶ୍ୱର: କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ପ୍ରଗତି ୫୦’ ଯୋଜନାରେ ଓଡ଼ିଶାର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଏବଂ ପୁରୀକୁ ସାମିଲ କରାଯାଇଛି । ସ୍ୱଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଉଚ୍ଚ ମାନଦଣ୍ଡ ସ୍ଥାପନ କରିବା ପାଇଁ ସାରା ଦେଶରୁ ମନୋନୀତ ହୋଇଥିବା ୫୦ଟି ସହର ତାଲିକାରେ ଏହି ଦୁଇ ସହର ସ୍ଥାନ ପାଇଛନ୍ତି ।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବଂ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ କେନ୍ଦ୍ର ପୁରୀକୁ ‘ଆଦର୍ଶ ପରିମଳ ସହର’ ଭାବରେ ବିକଶିତ କରାଯିବ । କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନାର ତ୍ୱରିତ ରୂପାୟନ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯିବ । ଏହାଦ୍ୱାରା ଉଭୟ ସହର ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ପୌରାଞ୍ଚଳ ଗୁଡ଼ିକ ପାଇଁ ଏକ ଉଦାହରଣ ପାଲଟିବେ ।

ଓଡ଼ିଶା ସରକାର ଏହି ‘ପ୍ରଗତି ୫୦’ କାର୍ଯ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ପୌରସଂସ୍ଥାମାନଙ୍କ ସହଯୋଗରେ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନଗର ଉନ୍ନୟନ ବିଭାଗର ଅଧିକାରୀ ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ। ଭୁବନେଶ୍ୱର ଏବଂ ପୁରୀର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଚୟନ ଅତ୍ୟନ୍ତ ଗୂରୁତ୍ବ । କାରଣ ଭୁବନେଶ୍ୱର ରାଜ୍ୟର ମୁଖ୍ୟ ପ୍ରଶାସନିକ କେନ୍ଦ୍ର ହୋଇଥିବା ବେଳେ, ପୁରୀ ଏକ ପ୍ରମୁଖ ସାଂସ୍କୃତିକ ତଥା ଧାର୍ମିକ ପୀଠ ଯେଉଁଠାକୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସିଥାନ୍ତି ।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ପୁରୀ ପୌରପାଳିକା ଏବଂ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଟିମ୍ ମିଳିତ ଭାବରେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ପ୍ରଗତିର ତଦାରଖ କରିବେ। ଏହି ଯୋଜନା ମାଧ୍ୟମରେ ସହରର ସ୍ୱଚ୍ଛତା ବ୍ୟବସ୍ଥା ସୁଦୃଢ଼ ହେବା ସହ ବର୍ଜ୍ୟବସ୍ତୁ ପରିଚାଳନାରେ ସାଧାରଣ ନାଗରିକଙ୍କ ଅଂଶଗ୍ରହଣ ମଧ୍ୟ ବୃଦ୍ଧି ପାଇବ । ବିଶେଷ କରି ଭୁବନେଶ୍ୱର ଏବଂ କଟକରେ ବର୍ଜ୍ୟବସ୍ତୁରୁ ଅଙ୍ଗାର ପ୍ରସ୍ତୁତି ଭଳି ଅଭିନବ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.