Latest Odisha News

BREAKING NEWS

କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର

କଟକ: ବଜାରରେ ନକଲି ଏବଂ ଭେଜାଲ୍ ଖାଦ୍ୟ ସାମଗ୍ରୀର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ବିଶେଷ କରି କଟକ ସହରରେ ନକଲି ପନିର କାରବାର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ କଟକ ମହାନଗର ନିଗମ ବା ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ମଧୁପାଟଣା ଥାନାରେ ୧୧ ଜଣ ବ୍ୟବସାୟୀ ଏବଂ ଦଲାଲଙ୍କ ନାମରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି । କଟକ ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଋଷିକେଶ ଖିଲାରୀ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ନିକଟରେ ସିଏମ୍‌ସି ପକ୍ଷରୁ କଟକରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୭୩ କ୍ୱିଣ୍ଟାଲ୍ ପନିର ଜବତ କରାଯାଇଥିଲା । ଏହି ପନିରର ନମୁନାକୁ ପରୀକ୍ଷା ପାଇଁ ହରିୟାଣାର ଏକ ସରକାରୀ ଲାବୋରେଟୋରୀକୁ ପଠାଯାଇଥିଲା । ପରୀକ୍ଷା ରିପୋର୍ଟ ଆସିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଯାଇଥିଲା । ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଲୋକେ ଯେଉଁ ପନିରକୁ ଅତି ଆଗ୍ରହର ସହ ଖାଉଛନ୍ତି, ସେଥିରେ ଡିଟରଜେଣ୍ଟ୍ , ମଇଦା ଏବଂ ଷ୍ଟାର୍ଚ୍ଚ ପାଉଡର ଭଳି କ୍ଷତିକାରକ ସାମଗ୍ରୀ ମିଶାଯାଇଥିଲା । ପନିରକୁ ନରମ, ଚିକ୍କଣ ଏବଂ ଓଜନିଆ କରିବା ପାଇଁ ଅସାଧୁ ବ୍ୟବସାୟୀମାନେ ଏଭଳି ହୀନ ଉପାୟ ଆପଣାଉଥିଲେ ।

ଜବତ ହୋଇଥିବା ଏହି ଭେଜାଲ୍ ପନିରଗୁଡ଼ିକ ମୁଖ୍ୟତଃ ନିଆଳି ଏବଂ ଆଖପାଖ ଅଞ୍ଚଳରୁ କଟକ ଆସୁଥିଲା ବୋଲି ଜଣାପଡିଛି । ଏଫ୍‌ଆଇଆର୍‌ରେ ନାମିତ ହୋଇଥିବା ୧୧ ଜଣ ଯାକ ଅଭିଯୁକ୍ତ ନିଆଳି ଅଞ୍ଚଳର ପନିର ବ୍ୟବସାୟୀ ଏବଂ ମଧ୍ୟସ୍ଥୀ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଅବଶ୍ୟ, ଚଢ଼ାଉ ସମୟରେ ଯେଉଁ ବ୍ୟବସାୟୀମାନେ ବିଶୁଦ୍ଧ ପନିର ବିକ୍ରି କରୁଥିଲେ, ସେମାନଙ୍କୁ ସିଏମ୍‌ସି ପକ୍ଷରୁ କ୍ଲିନ୍ ଚିଟ୍ ଦିଆଯାଇଛି । ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୃପେନ୍ଦ୍ର ଶତପଥୀ ସ୍ପଷ୍ଟ କରିଛନ୍ତି ଯେ ନିଆଳିର ସମସ୍ତ ଦୁଗ୍ଧ ବ୍ୟବସାୟୀ ଏହି ଅପମିଶ୍ରଣରେ ସମ୍ପୃକ୍ତ ନୁହଁନ୍ତି ।

ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ଘଟଣାରେ ପୂର୍ବରୁ କଟକର ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇସାରିଛି । ବର୍ତ୍ତମାନ ପୋଲିସ ଏବଂ ସିଏମ୍‌ସିର ମିଳିତ ଟିମ୍ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ଶେଷ ହେବା ପରେ ଏହି ନକଲି କାରବାରର ମାଷ୍ଟରମାଇଣ୍ଡମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.