Latest Odisha News

BREAKING NEWS

ଦୁଇ ଝାରଖଣ୍ଡ ଡକାୟତଙ୍କୁ ଧରିଲା ଓଡ଼ିଶା ପୋଲିସ; ଗୁଳି ଓ ମାରଣାସ୍ତ୍ର ଜବତ

ରାଇରଙ୍ଗପୁର:ବଡ ଡକାୟତି ଯୋଜନାକୁ ପଣ୍ଡ କରିଛି ବହଳଦା ପୋଲିସ। ଦୁଇ ଜଣ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଡ଼କାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ସୌଖିନ କାର୍, ତେଲେଙ୍ଗାନା କଟୁରୀ , ଏକ ଜୀବନ୍ତ ଗୁଳି, ଦୁଇଟି ମୋବାଇଲ, ଲଙ୍କା ଗୁଣ୍ଡ ଓ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି ।

ଗିରଫ ଦୁଇ ଜଣ ହେଲେ ଝାଡ଼ଖଣ୍ଡ ସଢ଼େଇକଳା- ଖରସୁଆଁର ଜିଲ୍ଲାର ଫରହାନ ରଶିଦ ଓ ଜାମସେଦପୁରର ମହମ୍ମଦ ହାଇଦର। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ୮ ଏମ୍ଏମ୍ ଗୁଳି, ଖଣ୍ଡା, ଲଙ୍କା ଗୁଣ୍ଡ, ଦଉଡ଼ି ଏବଂ ନଗଦ ୧ ଲକ୍ଷ ୮୫ ହଜାର ୭୦୦ ଟଙ୍କା, ଦୁଇଟି କାର୍ ଜବତ କରିଛି ପୋଲିସ।

ବହଳଦା ଥାନା ଖେଜୁରିଟାଣ୍ଡି-ବାସିଙ୍ଗି ଛକ ନିକଟରେ ସନ୍ଧ୍ୟା ସମୟରେ ୫ରୁ ଅଧିକ ସଶସ୍ତ୍ର ଦୁର୍ବୃତ୍ତ ଏକତ୍ରିତ ହୋଇ ବହଳଦା ଓ ବାସିଙ୍ଗି ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିଲେ। ଖବରପାଇ ପୋଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ଦୁର୍ବୃତ୍ତ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିଲା।

ଏହି ଘଟଣାକୁ ନେଇ ବହଳଦା ଥାନାରେ କେସ୍‌ ନମ୍ବର ୧୭୪/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ବିଏନ୍‌ଏସ୍‌ର ଧାରା ୩୧୦(୪)/୩୧୦(୫) ଏବଂ ଆର୍ମସ୍‌ ଆକ୍ଟର ଧାରା ୨୫/୨୭ ଅନୁଯାୟୀ ପୋଲିସର ତଦନ୍ତ ଜାରି ରହିଛି । ଉଭୟ ଅଭିଯୁକ୍ତଙ୍କ ନାଁରେ ଝାରଖଣ୍ଡ ରାଜ୍ୟ ଚାଣ୍ଡିଲ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ଏସପି ସୁରେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

ଗିରଫ ଫରହାନ ରଶିଦ ନାମରେ ପୂର୍ବରୁ ଝାଡ଼ଖଣ୍ଡର ଚାଣ୍ଡିଲ ଥାନାରେ ହତ୍ୟା, ଗୋ-ଚାଲାଣ ଓ ଆର୍ମ୍ସ ଆକ୍ଟ ଭଳି ଚାରୋଟି ସଙ୍ଗୀନ ମାମଲା ରହିଛି।

ଏସପି ସୁରେଶ ଚନ୍ଦ୍ର ପାତ୍ର କହିଛନ୍ତି, ‘ବର୍ତ୍ତମାନ ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଅପରାଧି ଓ ଅସାମାଜିକ ବ୍ୟକ୍ତିମାନଙ୍କ ବିରୋଧରେ ଚାଲିଛି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ ‘ଦମନ’। ଏହି କାର୍ଯ୍ୟକ୍ରମ ଜରିଆରେ ଡିଜିପି ଓଡ଼ିଶା ଓ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ ଓ ଟିମ୍ ଏହି ଡକାୟତି ଯୋଜନାକୁ ପଣ୍ଡ କରିଥିଲେ ।’

Leave A Reply

Your email address will not be published.