Latest Odisha News

BREAKING NEWS

ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ମୌସୁମୀ ସଂପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ।

ଚଳିତ ବର୍ଷ ଓଡ଼ିଶା ପାଇଁ ମୌସୁମୀ ବର୍ଷା ଭଲ ରହିଥିଲା। ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୨୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଏହି ସମୟରେ ଓଡ଼ିଶାର ସ୍ୱାଭାବିକ ବର୍ଷା ପରିମାଣ ୧ ହଜାର ୧୫୦ ଦଶମିକ ୨ ମିଲିମିଟର ଥିବାବେଳେ ପ୍ରକୃତରେ ବର୍ଷା ହୋଇଛି ୧ ହଜାର ୪୮୪ ଦଶମିକ ୩ ମିଲିମିଟର।

ମୌସୁମୀ ସମୟରେ ରାଜ୍ୟରେ ୧୦ଟି ଲଘୁଚାପ ପ୍ରଭାବ ପଡ଼ିଥିଲା। ଜୁଲାଇରେ ୩ଟି, ଅଗଷ୍ଟରେ ୫ଟି, ସେପ୍ଟେମ୍ବରରେ ୨ଟି ଲଘୁଚାପ ଆସିଥିଲା। ଏଥିରୁ ଅବପାତ ୩ଟି, ଗଭୀର ଅବପାତ ୨ଟି, ୱେଲ ମାର୍କଟ (ସ୍ପଷ୍ଟ ଚିହ୍ନଟ) ଲଘୁଚାପ ୨ଟି ଏବଂ ଲଘୁଚାପ ୩ଟି । ଏସବୁ ସିଷ୍ଟମର ପ୍ରଭାବ ୪୨ ଦିନ ରହିଥିଲା।

ସେପ୍ଟମ୍ବର ମାସ ଶେଷରେ ନବରଙ୍ଗପୁର ଜିଲ୍ଲାର ଗୋଟିଏ ସ୍ଥାନରେ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜିଲ୍ଲା ଭିତ୍ତିକ ହିସାବରେ ବୌଦ୍ଧରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।ଜିଲ୍ଲାରେ ସ୍ୱାଭାବିକଠାରୁ ୭୦ ପ୍ରତିଶତ ଅଧିକ ବର୍ଷା ହୋଇଥିବାରୁ ବୌଦ୍ଧ ‘ଲାର୍ଜ ଏକ୍ସେସ୍’ ବର୍ଗରେ ରହିଛି ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ୨୨ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟ ୭ଟି ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି। ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ଝାରସୁଗୁଡ଼ାରେ ସ୍ୱାଭାବିକ ବର୍ଷା ହୋଇଛି।

 

Leave A Reply

Your email address will not be published.