Smit Machchhar: ମରଣ ସହ ଲଢି ବୀରତ୍ବ ଦେଖାଇଲେ ଭାରତୀୟ ପାଇଲଟ୍…ସଲାମ୍ କରୁଛି ବିଶ୍ବ! ସୋସିଆଲ ମିଡିଆରେ ସ୍ମିତଙ୍କୁ ‘ଥାଙ୍କ୍ ୟୁ’ ବର୍ଷା…
ନୂଆଦିଲ୍ଲୀ: ମନେ ରଖନ୍ତୁ ତାଙ୍କ ନାଁ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାରତୀୟ ପାଇଲଟଙ୍କ ଉପରେ ପ୍ରଶଂସାର ବର୍ଷା କଲେ ଇସ୍ରାଏଲ ନାଗରିକ । କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାର, ଫ୍ଲାଇଦୁବାଇ ବିମାନର କକ୍ପିଟ୍ରେ ଘଟିଥିବା ଭୟଙ୍କର ଘଟଣା ପରେ ଏବେ ଇସ୍ରାଏଲ୍ର ସୋସିଆଲ ମିଡିଆରେ ଏହି ନାଁ ହିଁ ଚର୍ଚ୍ଚାରେ। ନିଜ ଜୀବନ ବିପଦରେ ପଡ଼ିଥିଲେ ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିମାନ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଲଢ଼ିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଇସ୍ରାଏଲୀମାନେ ହିରୋ ବୋଲି କହି ପ୍ରଶଂସା କରୁଛନ୍ତି।
ଦୁବାଇରୁ ତେଲ୍ ଅଭିଭ୍ ଯାଉଥିବା ଫ୍ଲାଇଦୁବାଇର ବୋଇଂ 737 MAX ବିମାନର କକ୍ପିଟ୍ରେ ହଠାତ୍ ଆକ୍ରମଣ ଘଟିଥିଲା। ରିପୋର୍ଟ ଅନୁସାରେ, କୋ-ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ଆକ୍ରମଣ କରି ଛୁରିରେ ଆହତ କରିଥିଲେ। ଏହାପରେ ବିମାନ ହଜାର ହଜାର ମିଟର ତଳକୁ ଖସିବାକୁ ଲାଗିଥିଲା। ଘଟଣା ଯଦି ଆଉ କିଛି ସମୟ ଚାଲିଥାନ୍ତା, ତେବେ ଏହା ଏକ ବଡ଼ ବିପର୍ଯ୍ୟୟରେ ପରିଣତ ହୋଇପାରିଥାନ୍ତା ବୋଲି ଇସ୍ରାଏଲୀ କର୍ତ୍ତୃପକ୍ଷ କହିଛନ୍ତି।
ଗୁରୁତର ଆହତ ହେବା ସତ୍ତ୍ୱେ ସ୍ମିତ୍ ହାର ମାନିନଥିଲେ। ଛୁରାମାଡ ଖାଇ ମଧ୍ୟ ବୀରତ୍ବ ଦେଖାଇ ଆକ୍ରମଣକାରୀଙ୍କ ସହ ସଂଘର୍ଷ କରିବା ସହ ସେ କକ୍ପିଟ୍ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ। ଫଳରେ ଯାତ୍ରୀ, କ୍ରୁ ସଦସ୍ୟ ଓ ଅନ୍ୟ ପାଇଲଟ୍ମାନେ କକ୍ପିଟ୍ରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣରେ ସହଯୋଗ କରିପାରିଥିଲେ। ପରେ ରିଜର୍ଭ କ୍ରୁ ଏବଂ ବିମାନରେ ଥିବା ଅନ୍ୟ ପାଇଲଟ୍ମାନେ କଣ୍ଟ୍ରୋଲ୍ ନେଇ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।
ଘଟଣା ପରେ ଇସ୍ରାଏଲୀ ସୋସିଆଲ ମିଡିଆରେ ସ୍ମିତ୍ଙ୍କୁ ପ୍ରଶଂସାର ସୁଅ ଛୁଟିଛି। ଜଣେ ଇସ୍ରାଏଲୀ କଣ୍ଟେଣ୍ଟ କ୍ରିଏଟର୍ ଇନାଭ୍ ଅଭିଜେମର୍ ଭିଡିଓ ଜାରି କରି କହିଛନ୍ତି, “ମୁଁ ଭାରତୀୟ ପାଇଲଟ୍ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେ ହିରୋ!” ଅନ୍ୟ ଜଣେ ଇନ୍ଫ୍ଲୁଏନ୍ସର୍ ତାଲିଆ ୟୋସେଫ୍ ମଧ୍ୟ ଲୋକଙ୍କୁ ସ୍ମିତ୍ ମଚ୍ଛାରଙ୍କ ନାଁ ମନେ ରଖିବାକୁ କହିଛନ୍ତି।
ଇସ୍ରାଏଲୀ ଇନ୍ଫ୍ଲୁଏନ୍ସର୍ ନିମା ୟାମିନି ମଧ୍ୟ ସ୍ମିତ୍ଙ୍କ ସାହସକୁ ପ୍ରଶଂସା କରି କହିଥିଲେ ଯେ, ଗୁରୁତର ଆହତ ହେବା ସତ୍ତ୍ୱେ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧି ପ୍ରଶଂସାର ଯୋଗ୍ୟ। ଇସ୍ରାଏଲୀ ସାମ୍ବାଦିକ ନେରିଆ କ୍ରାଉସ୍ ମଧ୍ୟ କହିଛନ୍ତି ଯେ, ଆକ୍ରମଣକାରୀ ତାଙ୍କୁ ଛୁରି ମାରୁଥିବା ବେଳେ ମଧ୍ୟ ପାଇଲଟ୍ ଲଢ଼ିଥିଲେ ଏବଂ କକ୍ପିଟ୍ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ।
ଏହି ସାହସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ମିତ୍ଙ୍କୁ ‘ହିରୋ’ ବୋଲି କହିଛନ୍ତି। ତାଙ୍କ ସାହସ ଶହ ଶହ ଜୀବନ ବଞ୍ଚାଇବା ସହ ବଡ଼ ବିପର୍ଯ୍ୟୟକୁ ଏଡ଼ାଇବାରେ ସହାୟକ ହୋଇଥିବା ମୋଦୀ କହିଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମଧ୍ୟ ତାଙ୍କ ଅସାଧାରଣ ସାହସର ପ୍ରଶଂସା କରିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ମିତ୍ଙ୍କୁ ହିରୋ କହିଛନ୍ତି। ତାଙ୍କ କହିବା ଅନୁସାରେ, ଆହତ ହେବା ପରେ ମଧ୍ୟ ସ୍ମିତ୍ଙ୍କ ଉପସ୍ଥିତ ବୁଦ୍ଧି ତାଙ୍କୁ କକ୍ପିଟ୍ ଦ୍ୱାର ଖୋଲିବା ଏବଂ ବିମାନକୁ ନିୟନ୍ତ୍ରଣରେ ଆଣିବାର ସୁଯୋଗ ଦେଇଥିଲା।
ସ୍ମିତ୍ ମଚ୍ଛାର ୨୦୨୨ରେ ଫ୍ଲାଇଦୁବାଇରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ସ୍ପାଇସଜେଟ୍ରେ କାମ କରୁଥିଲେ। ତାଙ୍କ LinkedIn ପ୍ରୋଫାଇଲ୍ ଅନୁସାରେ, ବୋଇଂ ୭୩୭ ବିମାନରେ ତାଙ୍କର ପ୍ରାୟ ୯,୭୫୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି। ଘଟଣା ପରେ ଭାରତୀୟ ଦୂତାବାସ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ସହ ପରିବାର ସହ ଯୋଗାଯୋଗରେ ଥିବା କହିଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଏବଂ ଶୀଘ୍ର ସୁସ୍ଥତା ପାଇଁ ଆଶା କରାଯାଉଥିବା ଦୂତାବାସ କହିଛି।
ମୃତ୍ୟୁ ସହ ସଂଘର୍ଷ କରି, ନିଜ ଜୀବନକୁ ବିପଦରେ ପକାଇ ଅନ୍ୟମାନଙ୍କ ଜୀବନ ରକ୍ଷାରେ ଭୂମିକା ନେଇଥିବା ଏହି ଭାରତୀୟ ପାଇଲଟ୍ଙ୍କୁ ଏବେ ଇସ୍ରାଏଲ୍ଠାରୁ ଭାରତ ପର୍ଯ୍ୟନ୍ତ ମିଳୁଛି ପ୍ରଶଂସା। ସ୍ମିତ୍ ମଚ୍ଛାର, ଏକ ନାଁ, ଏବେ ଅନେକଙ୍କ ପାଇଁ ଦେବଦୂତ ପାଲଟିଥିବା ବେଳେ ତାଙ୍କ ନାଁକୁ ଇସ୍ରାଏଲ୍ ଏବେ ମନେ ରଖିବାକୁ କହୁଛି।

