Latest Odisha News

BREAKING NEWS

ଆଗକୁ ଆସୁଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ; ଏଲ୍ ନିନୋ ଏବଂ ଯୁଦ୍ଧ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲା ଭାରତ

ନ୍ୟୁୟର୍କ: ଆଗାମୀ ଦିନରେ ସମଗ୍ର ବିଶ୍ୱ ଏକ ଭୟଙ୍କର ଖାଦ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି । ୟୁକ୍ରେନ୍ ଯୁଦ୍ଧ, ଇରାନ-ମଧ୍ୟପ୍ରାଚ୍ୟ ସଂଘର୍ଷ ଏବଂ ‘ସୁପର ଏଲ୍ ନିନୋ’ର ଦୁଷ୍ପ୍ରଭାବ କାରଣରୁ ବିଶ୍ୱବ୍ୟାପୀ ଖାଦ୍ୟ ଏବଂ ଇନ୍ଧନ ଯୋଗାଣ ଶୃଙ୍ଖଳା ଗୁରୁତର ଭାବେ ବାଧାପ୍ରାପ୍ତ ହେବ । ଆମେରିକାର ନ୍ୟୁୟର୍କ ସହରରେ ଆୟୋଜିତ ‘ଏସିଆ ସୋସାଇଟି’ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ବିଶ୍ୱ ସମୁଦାୟକୁ ଏହି କଡ଼ା ଚେତାବନୀ ଦେଇଛନ୍ତି ।

ଜୟଶଙ୍କର କହିଛନ୍ତି ଯେ, ବର୍ତ୍ତମାନର ଏହି ଭୂ-ରାଜନୈତିକ ବିବାଦ ଯୋଗୁଁ ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଏସିଆର ବିକାଶଶୀଳ ତଥା ଗରିବ ଦେଶଗୁଡ଼ିକୁ ନେଇ ଗଠିତ ‘ଗ୍ଲୋବାଲ ସାଉଥ୍’ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାକୁ ଯାଉଛି । ଏହି ଦେଶଗୁଡ଼ିକ ଉପରେ ଏବେ ଏକାସାଙ୍ଗରେ ଆର୍ଥିକ, ଇନ୍ଧନ, ଖାଦ୍ୟ ଏବଂ ସାରର ଘୋର ସଙ୍କଟ ମାଡ଼ି ଆସୁଛି । ୟୁକ୍ରେନ୍ ଏବଂ ରୁଷିଆ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ କାରଣରୁ କୃଷ୍ଣସାଗର ଦେଇ ହେଉଥିବା ଅନ୍ତର୍ଜାତୀୟ ଶସ୍ୟ ରପ୍ତାନି ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଛି । ସେହିପରି, ମଧ୍ୟପ୍ରାଚ୍ୟରେ ବିଶେଷ କରି ଇରାନ ଅଞ୍ଚଳରେ ଦେଖାଦେଇଥିବା ଅଶାନ୍ତି ଯୋଗୁଁ ସାର ଉତ୍ପାଦନ ଓ ଯୋଗାଣ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି, ଯାହା ବିଶ୍ୱର କୃଷି ଉତ୍ପାଦନକୁ ସିଧାସଳଖ ପ୍ରଭାବିତ କରୁଛି ।

ପରିସ୍ଥିତିର ଗମ୍ଭୀରତା ବିଷୟରେ ସୂଚନା ଦେଇ କରି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ଯେତେବେଳେ ବିଶ୍ୱର କୌଣସି ପ୍ରାନ୍ତରେ ଯୁଦ୍ଧ ବା ସଂଘର୍ଷ ସୃଷ୍ଟି ହୁଏ, ସେତେବେଳେ ପୁଞ୍ଜିନିବେଶକାରୀମାନେ ନିଜ ଅର୍ଥକୁ ଗ୍ଲୋବାଲ ସାଉଥ୍ ବଦଳରେ ସୁରକ୍ଷିତ ବଜାର ଆଡ଼କୁ ଟାଣି ନିଅନ୍ତି। ଫଳସ୍ୱରୂପ, ଉଭୟ ଇନ୍ଧନ ଓ ଖାଦ୍ୟ ମହଙ୍ଗା ହେବା ସହ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ବଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ ।” କୌଣସି ନିର୍ଦ୍ଦିଷ୍ଟ ଶକ୍ତିଶାଳୀ ଦେଶର ନାମ ନନେଇ ସେ ପରୋକ୍ଷରେ ଟାର୍ଗେଟ କରି କହିଥିଲେ ଯେ, ନୀତି ନିର୍ଦ୍ଧାରକମାନେ କେବଳ ନିଜ ସ୍ୱାର୍ଥ ଓ ଅର୍ଥନୀତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଉଚିତ୍ ନୁହେଁ। ବରଂ ସେମାନଙ୍କର ଗୋଟିଏ ପଦକ୍ଷେପ ଅନ୍ୟ ଗରିବ ଦେଶର ଜନସାଧାରଣଙ୍କ ଉପରେ କିଭଳି ପ୍ରତିକୂଳ ପ୍ରଭାବ ପକାଉଛି, ସେ ଦିଗରେ ଦାୟିତ୍ୱବାନ ହେବା ଆବଶ୍ୟକ ।

ଅନ୍ୟପକ୍ଷରେ, କେବଳ ଯୁଦ୍ଧ ନୁହେଁ, ବରଂ ଜଳବାୟୁ ପରିବର୍ତ୍ତନ ଏବଂ ଚଳିତ ବର୍ଷର ରେକର୍ଡ-ଭଙ୍ଗା ‘ଏଲ୍ ନିନୋ’ ମଧ୍ୟ ଏହି ଆଗାମୀ ସଙ୍କଟକୁ ତୀବ୍ର କରୁଛି । ଇରାନ ଏବଂ ମଧ୍ୟପ୍ରାଚ୍ୟ ବିବାଦ ଆଶଙ୍କାରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହେବାରେ ଲାଗିଛି । ‘କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍’ ତରଫରୁ ପ୍ରକାଶିତ ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଏଲ୍ ନିନୋ ପ୍ରଭାବରେ ଅତ୍ୟଧିକ ଉତ୍ତାପ ଯୋଗୁଁ ବିଶ୍ୱରେ ପାଖାପାଖି ୫ ଲକ୍ଷ ଲୋକଙ୍କ ଜୀବନ ଯିବାର ଆଶଙ୍କା ରହିଛି । ବିଶେଷ କରି ଏହି ଜଳବାୟୁ ପରିବର୍ତ୍ତନର ସର୍ବାଧିକ ଶିକାର ଗ୍ଲୋବାଲ ସାଉଥ୍‌ର ଦେଶଗୁଡ଼ିକ ହିଁ ହେବେ ବୋଲି ସତର୍କ କରାଇ ଦିଆଯାଇଛି ।

Leave A Reply

Your email address will not be published.