ଭୁବନେଶ୍ୱର: ନଭେମ୍ବର ମାସର ପ୍ରଥମ ସପ୍ତାହ ସୁଦ୍ଧା ଅଧ୍ୟାପକ ପଦବୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ଏବଂ ମାସ ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରନ୍ତୁ। ଏନେଇ ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପତି ଶନିବାର ଦିନ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳାଧିପତି ଥିବା ହରି ବାବୁ କମ୍ଭମପତି ଭୁବନେଶ୍ୱରସ୍ଥିତ ଲୋକ ଭବନ ପରିସରରେ ଥିବା ‘ନୂଆ ଅଭିଷେକ ହଲ୍’ର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଏହି କଥା କହିଥିଲେ। ଏହି ବୈଠକ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ନେଇ ଆୟୋଜିତ ହୋଇଥିଲା।
ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ସଚିବ ଅରବିନ୍ଦ ଅଗ୍ରୱାଲ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଓ କୁଳସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଲୋକ ଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟପାଳ କହିଛନ୍ତି ଯେ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ପରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରିବା ହେଉଛି ପରବର୍ତ୍ତୀ ବଡ଼ ଆହ୍ୱାନ। ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟିଏ ଦିନରେ ୧୪ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ ହୋଇଥିବା କଥା ମନେ ପକାଇ ସେ କହିଛନ୍ତି ଯେ, ବର୍ତ୍ତମାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ସ୍ପଷ୍ଟ ସମୟ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ।

