ସୁନ୍ଦରଗଡ଼: ସୋମବାର ସକାଳେ ସୁନ୍ଦରଗଡ଼ ସହରର ଏକ ବ୍ୟସ୍ତବହୁଳ ବାଣିଜ୍ୟିକ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ମୁଖ୍ୟ ଶାଖାରେ ଅଗ୍ନିକାଣ୍ଡ ଘଟିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା।
ଟାଉନ୍ ଥାନା ନିକଟରେ ଏବଂ ମୁଖ୍ୟ ଡାକଘର ସମ୍ମୁଖରେ ଅବସ୍ଥିତ ଏହି ବ୍ୟାଙ୍କ ଶାଖା ଖୋଲିବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁ ଓ ଘନ ଧୂଆଁ ସମ୍ପୂର୍ଣ୍ଣ କୋଠାକୁ ଗ୍ରାସ କରିନେଇଥିବା ବେଳେ ପୋଲିସ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଘେରାଉ କରି ନିକଟସ୍ଥ ରାସ୍ତାକୁ ବନ୍ଦ କରିଦେଇଥିଲେ ଏବଂ ଭିଡ଼ ନିୟନ୍ତ୍ରଣ କରିଥିଲେ।
ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ଆସବାବପତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଯଦିଓ କୌଣସି କର୍ମଚାରୀ କିମ୍ବା ଗ୍ରାହକଙ୍କର ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଏହା ‘ସର୍ଟ ସର୍କିଟ୍’ରୁ ହୋଇଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

