Latest Odisha News

BREAKING NEWS

Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ

ନୂଆଦିଲ୍ଲୀ:ଦିଲ୍ଲୀର ଆଇଜିଆଇ (IGI) ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀମାନେ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ପ୍ରାୟ ୩.୦୪ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ପଥର ଓ ଗହଣା ଜବତ କରିଛନ୍ତି। ଉକ୍ତ ଯାତ୍ରୀଜଣକ ଅକ୍ଟୋବର ୨ ତାରିଖରେ ବ୍ୟାଙ୍କକରୁ ଦିଲ୍ଲୀ ଆସିଥିଲେ ଏବଂ ଅକ୍ଟୋବର ୩ ତାରିଖରେ ଟର୍ମିନାଲ୍-୩ ଠାରେ ଯାଞ୍ଚ ସମୟରେ ତାଙ୍କୁ ଅଟକା ଯାଇଥିଲା। ଅଧିକାରୀମାନେ ସୋମବାର ଦିନ ଜଣାଇଛନ୍ତି ଯେ ସେମାନେ ବିମାନବନ୍ଦରରେ ଉକ୍ତ ବ୍ୟକ୍ତିଙ୍କୁ ଅଟକାଇବା ସହ ପରବର୍ତ୍ତୀ ସମୟରେ ତଲାସୀ ଚଳାଇଥିଲେ । ଏହା ପରେ ସୀମା ଶୁଳ୍କ ଅଧିକାରୀମାନେ ତାଙ୍କ ନିକଟରୁ ୩.୦୪ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ପଥର ଜବତ କଲେ।

ଏକ ବିବୃତ୍ତିରେ କଷ୍ଟମ୍ସ ବିଭାଗ କହିଛି ଯେ ସ୍ପଟ୍ ପ୍ରୋଫାଇଲିଂ ଆଧାରରେ ଅକ୍ଟୋବର ୩ତାରିଖରେ ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୩ରେ ଅଟକାଯାଇଥିଲା। ଯାତ୍ରୀ ଜଣକ ବ୍ୟାଙ୍କକରୁ ଦିଲ୍ଲୀକୁ ସାମଗ୍ରୀ ଆଣିଥିବା ସ୍ୱୀକାର କରିଥିଲେ। ଅଧିକ ତଦନ୍ତର ଅଂଶ ସ୍ୱରୂପ, କଷ୍ଟମ୍ସ ଅଧିକାରୀମାନେ ଯାତ୍ରୀଙ୍କ ସହ ଜଡିତ ସ୍ଥାନଗୁଡ଼ିକରେ ତଲାସ କରିଥିଲେ।

ଯାତ୍ରୀଙ୍କ ସାମଗ୍ରୀ ଓ ଶରୀର ଯାଞ୍ଚ କରିବା ସମୟରେ ପ୍ରାୟ ୧.୦୧ କୋଟି ଟଙ୍କା ମୂଲ୍ୟର ୩,୨୦୦ଟି ମୂଲ୍ୟବାନ ପଥର ଓ ଅଳଙ୍କାର ମିଳିଥିଲା। ପଚରାଉଚରା ସମୟରେ ଯାତ୍ରୀ ଜଣକ ଏହି ସାମଗ୍ରୀଗୁଡ଼ିକୁ ବ୍ୟାଙ୍କକରୁ ଦିଲ୍ଲୀକୁ ଆଣିଥିବା କଥା ସ୍ୱୀକାର କରିଥିଲେ।

ଏହା ପରେ କଷ୍ଟମ୍ସ ଅଧିକାରୀମାନେ ଅଭିଯୁକ୍ତଙ୍କ ସହ ଜଡ଼ିତ ଏକ ସ୍ଥାନରେ ଚଢଉ କରିଥିଲେ। ସେଠାରୁ ୧୯୬.୬୭୬ କିଲୋଗ୍ରାମ ଓଜନର କଳା-ସବୁଜ ରଙ୍ଗର ଅଶୋଧିତ ପନ୍ନା (Rough Emeralds) ଜବତ କରାଯାଇଥିଲା। ଏହା ବ୍ୟତୀତ, ୨୨୧ କ୍ୟାରେଟ୍ କଟା ଓ ପଲିସ୍ ହୋଇଥିବା ମାଣିକ୍ୟ ଏବଂ ୪୫ କ୍ୟାରେଟ୍ କଟ୍ ପଲିସ୍ ହୋଇଥିବା ପନ୍ନା ମଧ୍ୟ ମିଳିଥିଲା।

ତଲାସୀ ସମୟରେ ଉଦ୍ଧାର ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୨.୦୨ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ଜବତ କରାଯାଇଥିବା ସାମଗ୍ରୀ ସମେତ ମୋଟ ପ୍ରାୟ ୩.୦୪ କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ପଥର ଓ ଅଳଙ୍କାର ଉଦ୍ଧାର କରାଯାଇଛି। କଷ୍ଟମ୍ସ କର୍ତ୍ତୃପକ୍ଷ ଏହି ସାମଗ୍ରୀଗୁଡ଼ିକୁ ଜବତ କରିଛନ୍ତି ଏବଂ କଷ୍ଟମ୍ସ ଆଇନର ଧାରା ୧୦୪ ଅନୁଯାୟୀ ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.