ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
‘ଆଇଏସ୍ ୧୫୧୦୩’ ଅଧୀନରେ ବିଆଇଏସ୍ରୁ ମିଳିଲା ସ୍ୱୀକୃତି
ମୁମ୍ବାଇ: ଅଗ୍ନିକାଣ୍ଡ ସମୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଠା ଓ ଅନ୍ୟାନ୍ୟ ଇଞ୍ଜିନିୟରିଂ ସଂରଚନାର ଦୃଢ଼ତା ଓ ସ୍ଥିରତା ବଜାୟ ରଖିବାରେ ସହାୟକ ହେବା ପାଇଁ ଟାଟା ଷ୍ଟିଲ୍ ଏକ ନୂତନ ହଟ୍-ରୋଲ୍ଡ, ଅଗ୍ନି ପ୍ରତିରୋଧୀ ‘ଇ୩୫୦’ ଷ୍ଟ୍ରକଚରାଲ୍ ଷ୍ଟିଲ୍ ବିକଶିତ କରିଛି । ଏହି ଷ୍ଟିଲକୁ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ଦ୍ୱାରା ଅଗ୍ନିରୋଧୀ ଷ୍ଟ୍ରକଚରାଲ୍ ଷ୍ଟିଲ୍ ପାଇଁ ଉଦ୍ଦିଷ୍ଟ ‘ଆଇଏସ୍ ୧୫୧୦୩’ ଅଧୀନରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହା ସୁରକ୍ଷିତ ତଥା ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଟାଟା ଷ୍ଟିଲ୍ର ଅଭିନବ ଉତ୍ପାଦ ତାଲିକାକୁ ଆହୁରି ସୁଦୃଢ଼ କରିଛି।
ଏ ସମ୍ପର୍କରେ ଟାଟା ଷ୍ଟିଲ୍ର ପ୍ରଯୁକ୍ତି, ଗବେଷଣା ଓ ବିକାଶ (ଆର୍ ଆଣ୍ଡ ଡି), ନ୍ୟୁ ମ୍ୟାଟେରିଆଲ୍ ବିଜନେସ୍ ଏବଂ ଗ୍ରାଫିନ୍ ବିଭାଗର ଭାଇସ ପ୍ରେସିଡେଣ୍ଟ ସୁବୋଧ ପାଣ୍ଡେ କହିଛନ୍ତି, “ଆଧୁନିକ ନିର୍ମାଣ ଶୈଳୀରେ ଅଗ୍ନି ନିର୍ବାପକ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ ଷ୍ଟ୍ରକଚରର ସୁରକ୍ଷା ବୃଦ୍ଧି ପାଇଁ ଉନ୍ନତ ସାମଗ୍ରୀର ଉଦ୍ଭାବନ ଅତ୍ୟନ୍ତ ଜରୁରୀ । ଟାଟା ଷ୍ଟିଲ୍ ସର୍ବଦା ଉନ୍ନତ ଇଞ୍ଜିନିୟରିଂ ଏବଂ ସାମଗ୍ରୀ ନିର୍ମାଣରେ ଥିବା ଦକ୍ଷତା ମାଧ୍ୟମରେ ବଦଳୁଥିବା ଆବଶ୍ୟକତାର ସମାଧାନ ଦିଗରେ କାର୍ଯ୍ୟ କରିଆସୁଛି । ବିଆଇଏସ୍-ସ୍ୱୀକୃତିପ୍ରାପ୍ତ ଏହି ଅଗ୍ନି ପ୍ରତିରୋଧୀ ଇସ୍ପାତ ଏଭଳି ଏକ ନୂତନ ଉଦ୍ଭାବନ, ଯାହା ଆଧୁନିକ ନିର୍ମାଣ କ୍ଷେତ୍ରର ଆବଶ୍ୟକତା ପୂରଣ ସହିତ ନିର୍ମାଣ କାର୍ଯ୍ୟର ସୁରକ୍ଷାକୁ ବହୁଗୁଣିତ କରିବ।”
ଏହି ସ୍ୱତନ୍ତ୍ର ଇସ୍ପାତ ୬୦୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଉଚ୍ଚ ତାପମାତ୍ରାରେ ମଧ୍ୟ ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ନିଜର ଦୁଇ-ତୃତୀୟାଂଶ ଶକ୍ତି ବଜାୟ ରଖିପାରିବ । ଅତ୍ୟାଧୁନିକ ମାଇକ୍ରୋ-ଷ୍ଟ୍ରକଚରାଲ୍ ଇଞ୍ଜିନିୟରିଂ ଏବଂ ବିଭିନ୍ନ ସହାୟକ ଉପାଦାନର ସଠିକ୍ ସମନ୍ୱୟରେ ଏହାକୁ ପ୍ରସ୍ତୁତ କରାଯାଇଛି । ଉଚ୍ଚ ତାପମାତ୍ରାରେ ମଧ୍ୟ ଏହା ସହଜରେ ନିଜର ଶକ୍ତି ହରାଉ ନ ଥିବାରୁ ଅଗ୍ନିକାଣ୍ଡ ଘଟିଲେ ଲୋକମାନଙ୍କୁ ସୁରକ୍ଷିତ ଭାବେ କୋଠାରୁ ବାହାରିବା ପାଇଁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବାରେ ସହାୟକ ହେବ।
ପ୍ରି-ଇଞ୍ଜିନିୟର୍ଡ ବିଲ୍ଡିଂ ନିର୍ମାଣରେ ବ୍ୟବହୃତ ହେଉଥିବା ହୋଲୋ ଟ୍ୟୁବ୍ ସମେତ ବିଭିନ୍ନ ପ୍ରକାର ଅଗ୍ନିରୋଧୀ ଷ୍ଟ୍ରକଚରାଲ୍ ଉପାଦାନ ତିଆରି ପାଇଁ ଏହି ଷ୍ଟିଲ୍ ଅତ୍ୟନ୍ତ ଉପଯୋଗୀ। ତେଣୁ ନିରାପଦ, ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ଏହା ଏକ ଉତ୍କୃଷ୍ଟ ବିକଳ୍ପ ସାବ୍ୟସ୍ତ ହେବ।

