Kiara Advani Pregnancy: ସରାୟା ହେବେ ବଡ଼ ଭଉଣୀ! କିଆରା-ସିଦ୍ଧାର୍ଥଙ୍କ ଘରେ ପୁଣି ଶୁଭିବ କୁଆଁ କୁଆଁ ଡାକ, ନିଆରା ଢଙ୍ଗରେ ଦେଲେ ଖୁସିଖବର
ମୁମ୍ବାଇ: ବଲିଉଡ୍ର ଷ୍ଟାର୍ କପଲ୍ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଘରେ ପୁଣି ଖୁସିର ମାହୋଲ୍। ପୁଣି ଥରେ ପିତାମାତାର ସୌଭାଗ୍ୟ ପାଇବାକୁ ଯାଉଛନ୍ତି ସିଡକିଆରା । ଦୁହେଁ ଦ୍ୱିତୀୟ ସନ୍ତାନ ଆସିବାର ଖୁସିଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଆଉ ଏହି ଖୁସିଖବର ଦେବାର ଷ୍ଟାଇଲ୍ ମଧ୍ୟ ରହିଛି ଖାସ୍।
କିଆରା ସୋସିଆଲ୍ ମିଡିଆରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଫଟୋରେ କିଆରା, ସିଦ୍ଧାର୍ଥ ଓ ତାଙ୍କ ଝିଅ ସରାୟାଙ୍କ ହାତ ଦେଖାଯାଉଛି। ତିନିଜଣ ମିଶି ଏକ କୁନି ଶିଶୁର ବୁଣା ଜୋତା ଧରିଛନ୍ତି। ଏହି ଫଟୋ ଜରିଆରେ ପରିବାରକୁ ଆଉ ଜଣେ ନୂଆ ସଦସ୍ୟ ଆସିବାକୁ ଯାଉଥିବା ଖବର ଦେଇଛନ୍ତି କିଆରା। ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।
ଖାସ୍ କଥା ହେଉଛି, ପ୍ରଥମ ଥର ମାତାପିତା ହେବାର ଖୁସି ଖବର ମଧ୍ୟ କିଆରା ଓ ସିଦ୍ଧାର୍ଥ କୁନି ଶିଶୁର ଜୋତା ଦେଖାଇ ଦେଇଥିଲେ। ଏବେ ଦ୍ୱିତୀୟ ସନ୍ତାନର ଖବର ମଧ୍ୟ ସମାନ ଢଙ୍ଗରେ ଦେଇଥିବାରୁ ଏହା ଆହୁରି ଖାସ୍ ହୋଇଛି।
୨୦୨୫ ଜୁଲାଇ ୧୬ରେ କିଆରା ଓ ସିଦ୍ଧାର୍ଥ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ଝିଅର ନାଁ ରଖିଥିଲେ ସରାୟା। ଏବେ ସରାୟା ବଡ଼ ଭଉଣୀ ହେବାକୁ ଯାଉଛନ୍ତି। କିଆରା ମାଆ ହେବା ପରେ କିଛି ସମୟ ପରିବାରକୁ ଦେଇ ପୁଣି କାମକୁ ଫେରିଥିଲେ। ଏହି ବର୍ଷ ସେ ୟଶଙ୍କ ସହ ‘ଟକ୍ସିକ୍’ ଫିଲ୍ମରେ ନଜର ଆସିଥିଲେ। ଯେଉଁଥିରେ ତାଙ୍କୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଏଥିସହିତ ମାତୃତ୍ୱ ତାଙ୍କୁ ଭିତରୁ ବଦଳାଇଥିବା ନେଇ ସେ ପୂର୍ବରୁ ମଧ୍ୟ କହିଥିଲେ।
କିଆରା ଓ ସିଦ୍ଧାର୍ଥଙ୍କ ପ୍ରେମକାହାଣୀ ‘ଶେରଶାହ’ ଫିଲ୍ମରୁ ଆରମ୍ଭ ହୋଇଥିବା ଚର୍ଚ୍ଚା ହୋଇଥିଲା। ୨୦୨୩ ଫେବ୍ରୁଆରୀ ୭ରେ ରାଜସ୍ଥାନର ଜୈସଲମେରରେ ଦୁହେଁ ବିବାହ କରିଥିଲେ। ବିବାହର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିବା ଏହି ଷ୍ଟାର୍ ଦମ୍ପତି ଏବେ ପୁଣି ନୂଆ ସଦସ୍ୟଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ।

