ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ସବୁ ସଂସ୍ଥାରେ ସେମାନେ ରାଜନୈତିକ ଭାବେ କେତେ ପଛୁଆ ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କମିଶନ ଗଠନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକଙ୍କୁ ଏହି କମିଶନର ଅଧ୍ୟକ୍ଷ ଅଛନ୍ତି । ଏଥିସହିତ ଅବସରପ୍ରାପ୍ତ IAS ବିଜୟ କୁମାର ପୃଷ୍ଟି ଏହି କମିଶନର ସଦସ୍ୟ ଭାବେ କାର୍ଯ୍ୟ କରିବେ । ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସୁଜାତା ମିଶ୍ର କମିଶନ’ର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ । ଏହି କମିଶନ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଥିବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ, ସେ ଅଞ୍ଚଳର ସମୁଦାୟ ଲୋକସଂଖ୍ୟା ତୁଳନାରେ SEBC ମାନଙ୍କର ସଂଖ୍ୟାର ଅନୁପାତ ସମ୍ପର୍କରେ ଅନୁଧ୍ୟାନ କରିବ । ଏହା ସହିତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ସେମାନଙ୍କ ରାଜନୈତିକ ପ୍ରତିନିଧିତ୍ୱ ଏବଂ ସେହି ତୁଳନାରେ ସେମାନେ ରାଜନୈତିକ ଦୃଷ୍ଟିକୋଣରୁ କେତେ ପଛୁଆ ଅଛନ୍ତି, ତା’ର ସ୍ୱରୂପ ଓ ତାହାର ପ୍ରଭାବ (nature and implication of political backwardness) ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ ।
ଏହାଦ୍ୱାରା ରାଜ୍ୟରେ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଜନସାଧାରଣଙ୍କର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକରେ ଉପଯୁକ୍ତ ପ୍ରତିନିଧିତ୍ୱ ଓ ସେମାନଙ୍କ ଅଧିକାର ସମ୍ପର୍କରେ ଉପଯୁକ୍ତ ବ୍ୟବସ୍ଥା କରାଯାଇପାରିବ । ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଇଞ୍ଜିନିଅରିଙ୍ଗ୍ ଓ ମେଡିକାଲ ପରି ବୃତ୍ତିଗତ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ୧୧.୨୫ ପ୍ରତିଶତ ସଂରକ୍ଷଣ’ର ବ୍ୟବସ୍ଥା କରିଛନ୍ତି ।

